ଦରଦାମ୍ ଓ ବେକାରି ବୃଦ୍ଧି ସତ୍ତ୍ବେ ମୋଦୀ ସରକାରଙ୍କ ଲୋକପ୍ରିୟତା ବଢ଼ିଛି: ସର୍ଭେ

ନୂଆଦିଲ୍ଲୀ: ସୋମବାର ପ୍ରକାଶିତ ଏକ ସର୍ଭେ ଅନୁସାରେ ଭାରତରେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ୍ ଓ ବେକାରି ବୃଦ୍ଧି ସତ୍ତ୍ବେ କୋଭିଡ୍-୧୯ ମହାମାରୀ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ‘ଲୋକାଲ-ସର୍କଲସ୍‌’ ଦ୍ବାରା ୬୪,୦୦୦ ଲୋକଙ୍କୁ ପ୍ରଶ୍ନ ପଚରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଲୋକ କହିଥିଲେ ଯେ ମୋଦୀ ସରକାର ତାଙ୍କ ଦ୍ବିତୀୟ ପାଳିରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିଛନ୍ତି ବା ତା’ଠୁ ଅଧିକ କରିଛନ୍ତି। କୋଭିଡ୍-୧୯ର ମାରାତ୍ମକ ଦ୍ବିତୀୟ ଲହର ଚାଲିଥିବା ବେଳେ ଗତବର୍ଷ ଅନୁରୂପ ସର୍ଭେରେ ୫୧ ପ୍ରତିଶତ ଲୋକ ମୋଦୀ ସରକାର ସପକ୍ଷରେ ଅନୁକୂଳ ମତ ଦେଇଥିଲେ। ୨୦୨୦ରେ ମହାମାରୀ ଆରମ୍ଭ ବେଳେ ୬୨ ପ୍ରତିଶତ ଲୋକ ଏହିପରି ମତ ଦେଇଥିଲେ।

ଅଧିକାଂଶ ଲୋକ ମତ ଦେଇଥିଲେ କି ସମ୍ଭାବ୍ୟ ତୃତୀୟ ଲହର ପାଇଁ ମୋଦୀ ସରକାର ଉତ୍ତମ ଭାବେ ପ୍ରସ୍ତୁତି ନେଇଥିଲେ ଏବଂ ଅର୍ଥନୀତିକୁ ଦକ୍ଷତାର ସହ ପରିଚାଳନା କରିଥିଲେ। ତଥାପି ବର୍ଷ ଆରମ୍ଭରେ ବେକାରି ହାର ୭ ପ୍ରତିଶତ ରହିବା ନେଇ ବହୁଲୋକ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ୪୭ ପ୍ରତିଶତ ଲୋକ କହିଥିଲେ ଯେ, ଭାରତ କର୍ମନିଯୁକ୍ତି ସମସ୍ୟାର ସମାଧାନ କରିବାରେ ସଫଳ ହୋଇପାରି ନାହିଁ। ତେବେ ସରକାର ବେକାରି ସମସ୍ୟାର ସମାଧାନ କରିପାରିବେ ବୋଲି ୩୭ ପ୍ରତିଶତ ଲୋକଙ୍କ ଭିତରେ ଆଶା ଓ ଭରସା ପ୍ରକାଶ ପାଇଛି।  ୨୦୨୧ରେ ୨୭ ପ୍ରତିଶତ ଓ ୨୦୨୦ରେ ୨୯ ପ୍ରତିଶତ ଲୋକ ଏହି ମତ ଦେଇଥିଲେ, ଯେତେବେଳେ ବହୁଲୋକ ମହାମାରୀ ଯୋଗୁ କର୍ମନିଯୁକ୍ତି ହରାଇବାରେ ଲାଗିଥିଲେ। ଅଧିକାଂଶ ଲୋକ ଏପରି ସମୟରେ ମୋଦୀ ସରକାର ପ୍ରତି ସକାରାତ୍ମକ ମତ ପ୍ରକାଶ କରିଛନ୍ତି ଯେତେବେଳେ କି ଖୁଚୁରା ମୁଦ୍ରାସ୍ଫୀତି ୮ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଛି, ଯାହା ରାଜନୈତିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ।

ଏହି ସର୍ଭେରେ ୭୩ ପ୍ରତିଶତ ଲୋକ ଭାରତରେ ସେମାନଙ୍କର ଓ ସେମାନଙ୍କ ପରିବାରର ଭବିଷ୍ୟତ ସୁରକ୍ଷିତ ବୋଲି ମତ ଦେଇଥିଲେ। ୪୪ ପ୍ରତିଶତ ଲୋକ କହିଥିଲେ ଯେ ବାୟୁମାନ ବୃଦ୍ଧି ନିମନ୍ତେ ସରକାର ଯଥେଷ୍ଟ ପଦକ୍ଷେପ ନେଉନାହାନ୍ତି। ୬୦ ପ୍ରତିଶତ ଲୋକ କହିଥିଲେ ଯେ ସରକାର ସାମ୍ପ୍ରଦାୟିକ ସଦ୍‌ଭାବ ବୃଦ୍ଧି ନିମନ୍ତେ କାର୍ଯ୍ୟ କରୁଛନ୍ତି କିନ୍ତୁ ୩୩ ପ୍ରତିଶତ ଏହାକୁ ଅସ୍ବୀକାର କରିଥିଲେ। ୫୦ ପ୍ରତିଶତରୁ ଅଧିକ ଲୋକ କହିଥିଲେ ଯେ ଭାରତରେ ବ୍ୟବସାୟ କରିବା ଏବେ ପୂର୍ବାପେକ୍ଷା ଅଧିକ ସହଜ ହୋଇଯାଇଛି।

ସମ୍ବନ୍ଧିତ ଖବର