କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ମାସେ ପୂରିବାକୁ ଯାଉଥିବା ବେଳେ ରୁଷ୍ ଗୁରୁତ୍ବପୂର୍ଣ୍ଣ ବନ୍ଦର ସହର ମାରିୟୁପୋଲ୍ ଦଖଲ ପାଇଁ ଆକ୍ରମଣକୁ ଆହୁରି ଜୋରଦାର କରିଛି। ମାରିୟୁପୋଲ୍ରେ ତୁହାକୁ ତୁହା ବୋମାବର୍ଷା ଜାରି ରହିଛି। ରୁଷ୍ କମାଣ୍ଡୋ ବାହିନୀ ମଧ୍ୟ ସେମାନଙ୍କ ଅପରେସନ ଜାରି ରଖିଛନ୍ତି। ଗତ ରାତିରେ ରୁଷ୍ ମାରିୟୁପୋଲ୍ରେ ୨ଟି ସୁପର୍ ବମ୍ ପକାଇଛି। ଏହି ବୋମା ବ୍ୟାପକ ଧ୍ବଂସଲୀଳା ଘଟାଇଥିବା ଜଣାପଡ଼ିଛି। ମାରିୟୁପୋଲ୍ରେ ଏବେ ବି ୧ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି। ରୁଷ୍ ଏଜୋଭ୍ ସାଗରରୁ ମାରିୟୁପୋଲ୍କୁ ଗୋଳା ମାଡ଼ କରିବା ଆରମ୍ଭ କରିଦେଇଛି। ମାରିୟୁପୋଲ୍ରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି।
ପ୍ରାୟ ୧ ଲକ୍ଷ ଲୋକ ମାରିୟୁପୋଲ୍ରେ ଅନାହାରରେ ରହିଛନ୍ତି। ମାରିୟୁପୋଲ୍ରେ ଖାଦ୍ୟ ଏବଂ ପାଣି ଶେଷ ହୋଇଯାଇଛି। ମାରିୟୁପୋଲ୍କୁ ଖାଦ୍ୟ ଏବଂ ଅନ୍ୟ ଯୋଗାଣ ନେଇ ଯାଉଥିବା ଟ୍ରକ୍ଗୁଡ଼ିକୁ ରୁଷ୍ ଅଟକାଇ ଦେଇଛି। ୧୫ ରିଲିଫ୍ କର୍ମୀଙ୍କୁ ମଧ୍ୟ ରୁଷ୍ ଅଟକ ରଖିଛି ବୋଲି ୟୁକ୍ରେନ୍ ଅଧିକାରୀମାନେ ଦାବି କରିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ମାରିୟୁପୋଲ୍ରେ ଫସିଥିବା ଲୋକଙ୍କୁ ରୁଷ୍ ନିର୍ଯାତନା ଦେଉଛି। ପୋଲାଣ୍ଡ୍ ଚାଲିଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି, ଗତ ୨୦ ଦିନ ଧରି ରୁଷ୍ ବୋମାବର୍ଷା କରୁଛି। ୫ ଦିନ ହେଲାଣି ପ୍ରତି ୫ ସେକେଣ୍ଡ୍ରେ ଯୁଦ୍ଧବିମାନ ଉଡ଼ୁଛି ଏବଂ ସବୁଠି ବୋମା ଖସୁଛି। ଜେଲେନ୍ସ୍କି କହିଛନ୍ତି, କିଛି ଅଞ୍ଚଳରେ ଲଢ଼େଇ ଏଭଳି ଖରାପ୍ ସ୍ଥିତିରେ ରହିଛି ଯେ, ଲୋକମାନେ ସେମାନଙ୍କ ମୃତ ସମ୍ପର୍କୀୟଙ୍କୁ ପୋତି ପାରୁନାହାନ୍ତି। ଏଭଳି ବିପଜ୍ଜନକ ସ୍ଥିତିରେ ଅନ୍ତର୍ଜାତୀୟ ସଂଗଠନ ଏପରିକି ଜାତିସଂଘ ବି ସହଯୋଗ କରୁନାହିଁ ବୋଲି ଜେଲେନ୍ସ୍କି କହିଛନ୍ତି। ଯୁଦ୍ଧ ଜାରି ରହିଥିବାବେଳେ ଇତି ମଧ୍ୟରେ ରୁଷ୍ ବିଦେଶ ମନ୍ତ୍ରୀ ଲାବରବ କହିଛନ୍ତି, ୟୁକ୍ରେନ୍ ସହ କଥାବାର୍ତ୍ତା ଜଟିଳ ହୋଇଯାଇଛି କାରଣ କିବ୍ ଲଗାତାର ଭାବେ ଏହାର ସ୍ଥିତି ବଦଳାଉଛି। ଚେର୍ନିହିବରେ ମଧ୍ୟ ଲଢ଼େଇ ଜାରି ରହିଛି। ରୁଷ୍ର ଯୁଦ୍ଧବିମାନ ଚେର୍ନିହିବରେ ଏକ ବ୍ରିଜ୍ ଧ୍ବଂସ କରିଦେଇଛି। ଅନ୍ୟପକ୍ଷେ କିବ୍ରେ ପୁଲିସ ବାହିନୀ ପୁନର୍ବାର ଡ୍ୟୁଟିରେ ଯୋଗ ଦେବା ସହ ବିଭିନ୍ନ ଅଂଚଳର ସୁରକ୍ଷା ଦାୟିତ୍ବ ହାତକୁ ନେଇଛି।
ଜୋରଦାର ଯୁଦ୍ଧ ମଧ୍ୟରେ ବୁଧବାର ଦିନ ୟୁକ୍ରେନ୍ର ବିଭିନ୍ନ ସହରରୁ ଲୋକମାନଙ୍କୁ ଖାଲି କରିବାପାଇଁ ୯ଟି ମାନବୀୟ କରିଡର୍ ଖୋଲିଛି। ତେବେ ମାରିୟୁପୋଲ୍ରୁ ନାଗରିକଙ୍କୁ ଖାଲି କରିବାପାଇଁ କୌଣସି ସୁରକ୍ଷିତ କରିଡର ଖୋଲିବାକୁ ରୁଷ୍ ସହ କିଛି ଚୁକ୍ତି ହୋଇନି ବୋଲି ୟୁକ୍ରେନ୍ ଉପପ୍ରଧାନମନ୍ତ୍ରୀ ଇରିନା ଭେରେଶ୍ଚୁକ୍ କହିଛନ୍ତି।