ବେରୁତ: ଲେବାନନ୍‌ରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ବୋମାମାଡ଼ ଜାରି ରଖିଛି। ରବିବାର ଦକ୍ଷିଣ ବେରୁତରେ ୨୦ରୁ ଅଧିକ ଏୟାରଷ୍ଟ୍ରାଇକ୍ କରିବା ସହ ଉତ୍ତରରେ ଥିବା ପାଲେଷ୍ଟାଇନ୍ ଶରଣାର୍ଥୀ ଶିବିର ଉପରେ  ମଧ୍ୟ ଇସ୍ରାଏଲ ଆକ୍ରମଣ କରିଛି। ଶରଣାର୍ଥୀ ଶିବିରଗୁଡ଼ିକରେ ଆତଙ୍କବାଦୀଙ୍କୁ ଠାବ କରାଯିବା ମାତ୍ରେ ଇସ୍ରାଏଲ ତତ୍‌କ୍ଷଣାତ ଆକ୍ରମଣ କରୁଥିବାରୁ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସ୍ଥିତିରେ ଗାଜା ଭଳି ଧ୍ବଂସଲୀଳା ଲେବାନନ୍‌ରେ ମଧ୍ୟ ଆରମ୍ଭ ହୋଇଛି। ଶତାଧିକ କୋଠା ମାଟିରେ ମିଶିଯାଇଥିବା ବେଳେ ପ୍ରତିଦିନ ହଜାର ହଜାର ଲୋକ ବିସ୍ଥାପିତ ହେଉଛନ୍ତି।  ତୁରନ୍ତ ଲେବାନନ୍‌ ଓ ଗାଜାରେ ଯୁଦ୍ଧବିରତି ପାଇଁ  ଅନେକ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଛି।

Advertisment

ହେଜବୁଲ୍ଲାକୁ ଅସ୍ତ୍ର ଯୋଗାଣ ପାଇଁ ଇରାନ ଇତିମଧ୍ୟରେ ନେଇଥିବା ପଦକ୍ଷେପକୁ ଇସ୍ରାଏଲ ପଣ୍ଡ କରିଦେଇଥିବାରୁ ହେଜବୁଲ୍ଲା ଏବେ କେବଳ ନିଜ ପାଖରେ ଗଚ୍ଛିତ ଥିବା ରକେଟ୍‌ ଓ ଅନ୍ୟ ଗୁଳିଗୋଳା ସହାୟତାରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଇସ୍ରାଏଲ ସେନା ସହ ହେଜବୁଲ୍ଲା ଯୋଦ୍ଧାଙ୍କ ସ୍ଥଳ ସଂଘର୍ଷ ଜୋର୍‌ଦାର୍‌ ହୋଇଛି ଏବଂ ଆଗକୁ ଏହା ଭୟଙ୍କର  ରୂପ ନେବାର ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲର ବିଭିନ୍ନ  ପ୍ରତିଷ୍ଠାନ ଉପରେ ପ୍ରାୟ ୨୦୦ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଇରାନ ଉପରେ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ ରହିଥିବାରୁ ମଧ୍ୟପ୍ରାଚ୍ୟ ଉତ୍ତେଜନା ଥମିବାର ନାମ ନେଉନାହିଁ। ଗତରାତିରେ ବେରୁତରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଲାଲ ଓ ଧଳା ରଙ୍ଗର ଚମକ ସୃଷ୍ଟି କରିଥିବା ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଥିଲା। 

ଇସ୍ରାଏଲ ସେନା କହିଛି ଯେ ଦକ୍ଷିଣ ଲେବାନନ୍ ଭିତରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବା ପରଠାରୁ ସେମାନେ ୪୪୦ରୁ ଅଧିକ ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରିଛନ୍ତି। ଇସ୍ରାଏଲ ସେନା ମୁଖପାତ୍ର ରିଅର୍ ଆଡମିରାଲ ଡାନିଏଲ ହାଗ୍‌ରି ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ କହିଛନ୍ତି, ‘ସ୍ଥଳ ସଂଘର୍ଷ ଆରମ୍ଭରୁ ସେନା ପ୍ରାୟ ୪୪୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ମୃତକଙ୍କ ମଧ୍ୟରେ ହେଜବୁଲ୍ଲାର ପ୍ରାୟ ୩୦ ଜଣ କମାଣ୍ଡର ଅଛନ୍ତି। ଏହି ଆକ୍ରମଣ ମଧ୍ୟରେ ଇସ୍ରାଏଲ ସେନା ବେରୁତର ଦକ୍ଷିଣାଞ୍ଚଳ ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ପୁଣି ଥରେ ଆହ୍ୱାନ ଦେଇଛି। ଏହି ଅଂଚଳ ହେଜବୁଲ୍ଲାର ଗଡ଼ ବିବେଚିତ ହେଉଥିବାରୁ ଏଠାରେ ଭୀଷଣ ଆକ୍ରମଣ ଜାରି ରହିଛି ଏବଂ ସମଗ୍ର ଅଞ୍ଚଳକୁ ଛାରଖାର କରିଦେବା ଲକ୍ଷ୍ୟରେ ଇସ୍ରାଏଲ ଆକ୍ରମଣ କରୁଛି।  

ଲେବାନନ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ହେଜବୁଲ୍ଲାର ନିହତ ନେତା ସୟଦ ହସନ ନସରଲ୍ଲା ସମ୍ଭାବ୍ୟ ଉତ୍ତରାଧିକାରୀ ହାସେମ୍ ସଫିଦ୍ଦିନ୍ ସହ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ  ତାକୁ ଏବେ ମୃତ ବୋଲି ଧରି ନିଆଯାଇଛି। ଇସ୍ରାଏଲ ସେନା ଅଧିକାରୀମାନେ ମଧ୍ୟ ସଫିଦ୍ଦିନ ନିହତ ହୋଇଛି ବୋଲି ବୟାନ ଜାରି କରିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ୭ରେ ହମାସ୍‌ ଆକ୍ରମଣର ବାର୍ଷିକୀ ଅବସରରେ ଇସ୍ରାଏଲ ହାଇଆଲର୍ଟରେ ରହିଛି। ଠିକ୍‌ ବର୍ଷକ ତଳେ ହମାସ୍‌ର ଏହି ବର୍ବର ଆକ୍ରମଣରେ ଅତି କମ୍‌ରେ ୧,୨୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ ଏବଂ ଏହା ପରଠାରୁ ବ୍ୟାପକ ସଂଘର୍ଷ ଆରମ୍ଭ ହୋଇଥିଲା। ଆଜି ଗାଜାରୁ ହମାସ୍‌ ରକେଟ୍‌ ଆକ୍ରମଣ କରିଥିଲେ ମଧ୍ୟ ଇସ୍ରାଏଲରେ କିଛି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି।