ପ୍ରଥମ ଥର ବିଧାୟକ ହୋଇଥିଲେ ବି କାହିଁକି ଭୁପେନ୍ଦ୍ରଙ୍କ ନାମରେ ମୋହର ମାରିଲା ବିଜେପି? ଜାଣନ୍ତୁ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅଜଣା କଥା

ଗାନ୍ଧୀନଗର: ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟରେ ବିଜୟ ରୂପାନୀଙ୍କ ଇସ୍ତଫା ପରେ ଏବେ ସେଠାରେ ଆରମ୍ଭ ହେବାକୁ ଯାଇଛି ଭୁପେନ୍ଦ୍ର ସରକାର । ଆଜି ବିଜେପି ବିଧାୟକ ଦଳର ବୈଠକରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କ ନାଁରେ ମୋହର ବାଜିଛି । ତେବେ ମୁଖ୍ୟମନ୍ତ୍ରୀ ରେସରେ ଅନ୍ୟ ବଡ ବଡ ନେତା ଥିଲେ ମଧ୍ୟ ଘାତାଲୋଡିୟା ବିଧାୟକ ଭୁପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ଥିର ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭୂପେନ୍ଦ୍ର ପଟେଲ କିଏ? ତାହା ଆଜି ବି ଅନେକ ଲୋକଙ୍କୁ ଅଜଣା ।

ଭୁପେନ୍ଦ୍ର ପଟେଲ ଅହମ୍ମଦାବାଦର ଘାତାଲୋଡିୟା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ, ପୂର୍ବରୁ ସେ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରଟିର ଚେୟାରମ୍ୟାନ ଥିଲେ । ଖାଲି ସେତିକି ନୁହେଁ, ତାଙ୍କର ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂ ହୋଇଥିବାବେଳେ ସେ ଆନନ୍ଦୀବେନ ପଟେଲଙ୍କ ନିକଟତର ବୋଲି ଚର୍ଚ୍ଚା ହେଉଛି ।

ଘାତାଲୋଡିୟା ବିଧାନସଭା ଆସନରୁ ଆନନ୍ଦୀବେନ ପଟେଲ ଲଢି ଆସୁଥିଲେ । ହେଲେ ସେ ରାଜ୍ୟପାଳ ହେବା ପରେ ଭୁପେନ୍ଦ୍ର ପଟେଲ ସେହି ଆସନରୁ ଜିତି ବିଧାନସଭାକୁ ପ୍ରଥମ କରି ଆସିଥିଲେ । ଅନ୍ୟପଟେ ଆନନ୍ଦୀବେନ ପଟେଲଙ୍କ ନିକଟତମ ନେତା ହେବା ସହିତ ଭୁପେନ୍ଦ୍ର ପଟେଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ଘନିଷ୍ଠ ବୋଲି ଜଣାଯାଏ । ଭୁପେନ୍ଦ୍ର ପଟେଲ ପଟିଦାର ସମ୍ପ୍ରଦାୟରୁ ଆସୁଛନ୍ତି । ପଟିଦାର ସମ୍ପ୍ରଦାୟ ସହିତ ବିଜେପିର ଭଲ ସମ୍ପର୍କ ନଥିବାରୁ, ତାଙ୍କୁ ମୁଖ୍ୟମନ୍ତ୍ରୀ ବନେଇ ଦଳ ପଟିଦାର ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର