ଜମ୍ମୁ ଓ କଶ୍ମୀର : ମୁକ୍ତ ହୋଇଥିବା ନେତାମାନେ ଜନସଭା କରି ଧାରା-୩୭୦ ସଂପର୍କରେ ଭାଷଣ ଦେଇପାରିବେ ନାହିଁ

ନୂଆଦିଲ୍ଲୀ : ଭାରତ ସରକାର ଜମ୍ମୁ ଓ କଶ୍ମୀରରେ ଗତ ଅଗଷ୍ଟ ମାସରୁ ଗୃହବନ୍ଦୀ, ଅଟକ ରଖିଥିବା ନେତାମାନଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରୁଛନ୍ତି । ତେବେ ମୁକ୍ତ ହେବାପୂର୍ବରୁ ସେମାନଙ୍କୁ ଏକ ବଣ୍ଡରେ ସ୍ୱାକ୍ଷର କରିବାକୁ କୁହାଯାଉଛି । ଏହି ବଣ୍ଡରେ ଥିବା ସର୍ତ୍ତ ଅନୁଯାୟୀ ସେମାନେ ମୁକ୍ତ ହେବା ପରେ ସେମାନେ ଶାନ୍ତି ଓ ସ୍ଥିରତା ବିପନ୍ନ ହେବା ପରି କୌଣସି କାର୍ଯ୍ୟ କରିବେ ନାହିଁ । କୌଣସି ଜନସଭା କରି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବେ ନାହିଁ । ଏସବୁ କଟକଣା ଏକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

କେନ୍ଦ୍ର ସରକାର ଗତ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀର ଉପରୁ ଧାରା ୩୭୦ ଉଠାଇଦେଇଥିଲେ । ଏହା ସହିତ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ତେବେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ ଗୃହବନ୍ଦୀ କରି ରଖିଥିଲେ । ଗୃହବନ୍ଦୀ ଥିବା ନେତାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ମେହେବୁବା ମୁଫତି ଓ ଓମର ଅବଦୁଲ୍ଲା, ସଜ୍ଜାଦ ଲୋନ ପ୍ରମୁଖ । ଗତ କିଛି ସପ୍ତାହ ହେଲା ଅଳ୍ପ କିଛି ନେତାଙ୍କୁ ମୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର