ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଉତ୍କୃଷ୍ଟ ଭିତ୍ତିଭୂମି ବିକାଶ, ସଂଯୋଗୀକରଣର ଉନ୍ନତି ଓ ସେଠାକାର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
‘ଏକ୍ସ’ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଉତ୍କୃଷ୍ଟ ଭିତ୍ତିଭୂମି ବିକାଶ, ସଂଯୋଗୀକରଣରେ ଉନ୍ନତି ଏବଂ ଏଠାକାର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଲାଗି ଆମ ସରକାର ସଙ୍କଳ୍ପବଦ୍ଧ। ଏହି ଉଦ୍ଦେଶ୍ୟରେ ମୁଁ ଆଗାମୀକାଲି ନବନିର୍ମିତ ବିମାନ ବନ୍ଦର ଏବଂ ପୁନଃବିକଶିତ ରେଳ ଷ୍ଟେସନ୍ ଉଦ୍ଘାଟନ କରିବି। ଏଥି ସହିତ ଆଉ କେତେକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର ସୌଭାଗ୍ୟ ବି ମିଳିବ। ଏହାଦ୍ବାରା ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ପ୍ରାନ୍ତର ପରିବାରବର୍ଗଙ୍କ ଜୀବନଯାପନ ସହଜ ହେବ।
ଉଲ୍ଲେଖଯୋଗ୍ୟ, ସମୁଦାୟ ୧୫,୦୦୦ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବିନିଯୋଗରେ ନିର୍ମିତ କେତେକ ପ୍ରକଳ୍ପର ଉଦ୍ଘାଟନ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ଗସ୍ତ କରିବେ।
ପୂର୍ବାହ୍ନ ୧୧.୧୫ରେ ନବୀକୃତ ରେଳ ଷ୍ଟେସନ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଆଜି ଦିନର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ସେ ମଧ୍ୟ ନୂତନ ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଅପରାହ୍ଣ ୧୨.୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ନବନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ଉଦ୍ଘାଟନ କରିବେ।
ପରିଶେଷରେ ଅପରାହ୍ଣ ୧ଟା ବେଳେ ପ୍ରଧାନମନ୍ତ୍ରୀ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ କେତେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ସବୁ ପ୍ରକଳ୍ପର ସମୁଦାୟ ମୂଲ୍ୟ ୧୫,୦୦୦ କୋଟି ଟଙ୍କାରୁ ଅଧିକ ହେବ। ଏଥରୁ ଅଯୋଧ୍ୟା ଓ ତା’ର ଚତୁଃପାର୍ଶ୍ବ ବିକାଶ ଲାଗି ୧୧,୧୦୦ କୋଟି ଟଙ୍କା ରଖାଯାଇଥିବା ବେଳେ ସମଗ୍ର ଉତ୍ତର ପ୍ରଦେଶର ବିଭିନ୍ନ ପ୍ରାନ୍ତର ବିକାଶମୂଳକ ପ୍ରକଳ୍ପ ଲାଗି ୪,୬୦୦ କୋଟି ଟଙ୍କା ରଖାଯାଇଛି।
ଅନ୍ୟାନ୍ୟ ପ୍ରକଳ୍ପରେ ରହିଛି ଏକ ମେଡିକାଲ୍ କଲେଜ, ଅଯୋଧ୍ୟା ବାଇପାସ୍, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ୫ଟି ପାର୍କିଙ୍ଗ୍ସ୍ଥଳ ଓ ବ୍ୟାବସାୟିକ ପ୍ରତିଷ୍ଠାନ।