ଅଧା ଲୁଟି ନେଇଥିଲା କରୋନା, ବାକି ଯାହା ଥିଲା ମୂଳପୋଛ କରିଦେଲା ଅମ୍ଫାନ

କୋଲକାତା: ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫାନ’ ସର୍ବସ୍ବ ଲୁଟି ନେବା ପରେ ଉଜୁଡି ଯାଇଛି ଅନେକଙ୍କ ସଂସାର। କିଏ ପିତା ହରା ହୋଇଛି ତ କିଏ ପୁତ୍ର ହରା। କାହା ମଥାରୁ ସିନ୍ଦୂର ଲିଭି ଯାଇଛି ତ ପୁଣି କେଉଁ ସ୍ବାମୀ ମୁଣ୍ଡରୁ ହଟି ଯାଇଛି ସ୍ତ୍ରୀର ପଣତ! କେବଳ ସେତିକି ନୁହେଁ, ହଜାର ହଜାର ଲୋକଙ୍କ ମଥାରୁ ଛାତ ଉଡ଼ିଯାଇଛି, ଉଜୁଡ଼ି ଯାଇଛି କେତେ ସବୁ ଚାଷ ଜମି। ପଶ୍ଚିମବଙ୍ଗର ଅନ୍ୟତମ ହତଭାଗା ହେଉଛନ୍ତି ମତ୍ସ୍ୟଜୀବୀ ସିଦ୍ଧେଶ୍ବର ମାଝୀ।

ଦୀର୍ଘ ଦିନର ସଞ୍ଚିତ ଧନ ହରାଇବା ପରେ ଶୂନ୍ୟ ହସ୍ତରେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସିଦ୍ଧେଶ୍ବର। ସେ କହନ୍ତି କି ସ୍ବାମୀ ସ୍ତ୍ରୀ ମିଶି ଯାହା ସବୁ ସଞ୍ଚୟ କରିଥିଲେ ଅଧା କରୋନା ଭାଇରସ୍‌ ହେତୁ ଗଲା ଓ ଆଉ ଯାହା ବାକି ଥିଲା ତାକୁ ଅମ୍ଫାନ ନେଇ ଗଲା। କେବଳ ବିଷ ପିଇବା କିମ୍ବା ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ।

www.indiatoday.in

ମାଝୀ ଏବଂ ତାଙ୍କ ପତ୍ନୀ କଳ୍ପନା ଦୀଘାରୁ ୨୦ କିଲୋମିଟର୍‌ ଦୂରରେ ଥିବା ଲୋକପ୍ରିୟ ତାଜ୍‌ପୁର ବିଚ୍‌ରେ ପର୍ଯ୍ୟଟକମାନଙ୍କ ପାଇଁ ଖାଇବା ତିଆରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ସ୍ବାମୀ ସ୍ତ୍ରୀ ନିଜ ଦୁଇ ପିଲାଙ୍କୁ ନେଇ ପରିବାର ଚଳାଇବା ପରେ ଯାହା ବି କିଛି ସଞ୍ଜୟ କରି ରଖିଥିଲେ ଦେଶରେ ଦୀର୍ଘ ଦୁଇ ମାସ ଧରି ଲାଗୁ ହୋଇଥିବା ଲକ୍‌ଡାଉନ୍‌ରେ କିଛି ‌ସରି ଯାଇଥିବା ବେଳେ ଆଉ ଯାହା ଥିଲା ତାହାକୁ ବାତ୍ୟା ‘ଅମ୍ଫାନ’ ଛଡ଼ାଇ ନେଇଛି ବୋଲି କହିଛନ୍ତି। ବାତ୍ୟାରେ ସେମାନଙ୍କ ଘରର ଛପର ଉଡ଼ି ଯାଇଛି। ଦୁଇ ପିଲାଙ୍କ ସମେତ ଏହି ଦମ୍ପତି ଏବେ ସଂପୂର୍ଣ୍ଣ ବାସହରା ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର