ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦଶନ୍ଧି ମଧ୍ୟରେ ସବୁଠାରୁ ପ୍ରବଳ ମୌସୁମୀ ବର୍ଷା ଉଧମପୁର ଓ ଜମ୍ମୁ ଜିଲ୍ଲାରେ ଭୀଷଣ ବିପର୍ଯ୍ୟୟ ସୃଷ୍ଟି କରିଛି। ଜମ୍ମୁ କାଶ୍ମୀରର କଟରାରେ ମାତା ବୈଷ୍ଣୋ ଦେବୀ ଯାତ୍ରାପଥରେ ଆଜି ଅର୍ଦ୍ଧକୁମାରୀ ନିକଟରେ ବଡ଼ଧରଣର ଭୂସ୍ଖଳନ ହୋଇ ୩୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିଶାଳ ମାଟି ଅତଡ଼ା ଓ ପଥର ଧସିଯିବାରୁ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କୁ ଚିହ୍ନଟ କରାଯାଇଛି ଏବଂ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଚାଲିଛି।  ପ୍ରବଳ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅତି ସାଂଘାତିକ ସ୍ଥିତି ଉପୁଜିଛି। 

Advertisment

ଜମ୍ମୁରେ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଅନେକ ପୋଲ ଭୁଶୁଡ଼ି ପଡ଼ିଥିବାବେଳେ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଛି। ଏଥିସହ ମୋବାଇଲ୍‌ ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁ ଜିଲ୍ଲାରେ ଅଚାନକ ବନ୍ୟା ସ୍ଥିତି ପାଇଁ ୩୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଗ ଖରାପ ଯୋଗୁଁ ଜମ୍ମୁ କାଶ୍ମୀରରେ ଗୁରୁବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଏବଂ କଲେଜ ବନ୍ଦ ରହିବ ବୋଲି ଶିକ୍ଷା ମନ୍ତ୍ରୀ ସକିନା ଇତୁ କହିଛନ୍ତି। ଜମ୍ମୁରେ ବୁଧବାର ସକାଳ ୮.୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୨୯୬.୦ ମିମି ବର୍ଷା‌ ହୋଇଥିବା ରେକର୍ଡ କରାଯାଇଛି। ଏହା ୧୯୭୩ ଅଗଷ୍ଟ ୯ ତାରିଖରେ ହୋଇଥିବା ୨୭୨.୬ ମିମି ବର୍ଷାର ରେକର୍ଡକୁ ଭାଙ୍ଗିଛି। ଇତିମଧ୍ୟରେ ଉଧମପୁରରେ ଏହି ସମାନ ସମୟରେ ଅପ୍ରତ୍ୟାଶିତ ଭାବେ ୬୨୯.୪ ମିମି ବର୍ଷା ହୋଇଛି। ଉଲ୍ଳେଖଯୋଗ୍ୟ, ମଙ୍ଗଳବାର ମଧ୍ୟ ବୈଷ୍ଣୋଦେବୀ ଯାତ୍ରାପଥରେ ଅନ୍ୟ ଏକ ଭୂସ୍ଖଳନରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୧ ଜଣ ଆହତ ହୋଇଥିଲେ।  ଜମ୍ମୁ କାଶ୍ମୀର ପୁଲିସ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ , ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ବେଚ୍ଛାକର୍ମୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଦକ୍ଷିଣ କାଶ୍ମୀରର ଝେଲମ ନଦୀରେ ପ୍ରବଳ ବନ୍ୟା ଆସିଥିବାରୁ ସତର୍କତା‌ ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ତ୍ତୃପକ୍ଷଙ୍କ ଅନୁଯାୟୀ ୨୦ରୁ ୩୦ ତଳିଆ ଅଞ୍ଚଳ, ଜମ୍ମୁ ଓ ସାମ୍ବାର ଅଧିକାଂଶ ଅଞ୍ଚଳ ଅଚାନକ ବନ୍ୟାରେ ଜଳମଗ୍ନ ହୋଇଯାଇଛି। ସର୍ବାଧିକ ପ୍ରଭାବିତ ସ୍ଥାନଗୁଡ଼ିକ ହେଉଛି ଜମ୍ମୁ ସିଟି, ଆର୍‌ଏସ୍‌ପୁରା, ସାମ୍ବା, ଅଖନୁର, ନାଗ୍ରୋଟା, କୋଟ ଭଲୱାଲ, ବିଜୟପୁର, ପୁରମଣ୍ଡଳ, କଠୁଆ ଓ ଉଧମପୁରର କିଛି ଅଞ୍ଚଳ। ରିଆସି, ରମ୍ବନ, ଡୋଡ଼ା, ବିଲାୱାର, କଟରା, ରାମନଗର, ହୀରାନଗର, ଗୁଲ୍‌, ବନିହାଲ୍‌, ସାମ୍ବା ଓ କଠୁଆ ଜିଲ୍ଲାର ନିକଟସ୍ଥ ଅଞ୍ଚଳରେ ଆଜି ହାଲୁକା ବର୍ଷା ହୋଇଛି। ଜମ୍ମୁ, ଉଧମପୁର, ଶ୍ରୀନଗର ଏବଂ ପଠାନକୋଟର ସମସ୍ତ ବାୟୁସେନା ଘାଟିରେ ଚିନୁକ ଓ ଏମ୍‌ଆଇ-୧୭ ହେଲିକେପ୍ଟର ସକ୍ରିୟ ରଖାଯାଇଛି। ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ନରେଶ କୁମାର କହିଛନ୍ତି, ପଶ୍ଚିମ ଜଳବାୟୁ ପ୍ରଭାବ ଯୋଗୁଁ ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେଉଛି। ଉତ୍ତରପଶ୍ଚିମ ଭାରତରେ ଏବେ ପଶ୍ଚିମାବାୟୁ ସକ୍ରିୟ ଥିବା ସେ କହିଛନ୍ତି। ଜମ୍ମୁ କାଶ୍ମୀର ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ପଞ୍ଜାବ ଓ ରାଜସ୍ଥାନ ପରି ଅନ୍ୟ ଉତ୍ତରପଶ୍ଚିମ ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷ‌ା ଲାଗି ରହିଛି। ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ବୁଧବାର ବିପର୍ଯ୍ୟୟ ମୁକାବିଲାର ସମୀକ୍ଷା କରିଛନ୍ତି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସିହ୍ନା ମଧ୍ୟ ମାତା ବୈଷ୍ଣୋଦେବୀ ନାରାୟଣ ହସ୍ପିଟାଲ୍‌ ଯାଇ ଆହତମାନଙ୍କୁ ଭେଟିଛନ୍ତି।