କର୍ଣ୍ଣାଟକରୁ ରାଜ୍ୟସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜନତା ଦଳ (ସିକ୍ୟୁଲାର୍) ନେତା ଏଚ୍‌ଡି ଦେବେଗୌଡ଼ା ସ୍ଥିର କରିଛନ୍ତି। ଦଳର ବିଧାୟକ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟାନ୍ୟ ଅନେକ ନେତାଙ୍କ ଅନୁରୋଧକ୍ରମେ ସେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା କଥା ଜଣାପଡ଼ିଛି।

ତାଙ୍କର ପୁତ୍ର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ଯେ ମଙ୍ଗଳବାର ଦିନ ଦେବେଗୌଡ଼ା ପ୍ରାର୍ଥୀପତ୍ର ଦାଖଲ କରିବେ।

ଜାନୁଆରି ମାସରେ ଦେବେଗୌଡ଼ା କହିଥିଲେ ଯେ, ସେ ରାଜ୍ୟସଭା ପାଇଁ ଆଗ୍ରହୀ ନୁହନ୍ତି। ସେ ବରଂ ଦଳକୁ ସୁଦୃଢ଼ କରିବାକୁ କାମ କରିବେ।

Image Courtesy of Hindustan Times

କଂଗ୍ରେସର ରାଜୀବ ଗୌଡ଼ା ଓ ବିକେ ହରିପ୍ରସାଦ, ବିଜେପିର ପ୍ରଭାକର କୋରେ ଏବଂ ଜନତା ଦଳ (ଏସ୍)ର ଡି. କୁପେନ୍ଦ୍ର ରେଡ୍ଡୀଙ୍କର କାର୍ଯ୍ୟକାଳ ସରୁଥିବାରୁ କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନ ଖାଲି ହେଉଛି।

ରାଜ୍ୟସଭାରେ ଖାଲି ହେଉଥିବା ସାତଟି ରାଜ୍ୟର ସମୁଦାୟ ୧୮ଟି ଆସନ ପାଇଁ ଜୁନ୍ ୧୯ ତାରିଖ ଦିନ ନିର୍ବାଚନ ହେବ। ସେଥିପାଇଁ ଜୁନ୍ ୯ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ କରାଯିବ ଏବଂ ଜୁନ୍ ୧୦ ତାରିଖ ଦିନ ସେଗୁଡ଼ି ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରଖାଯାଇଛି ଜୁନ୍ ୧୨।

ରାଜ୍ୟସଭା ନିର୍ବାଚନରେ କର୍ଣ୍ଣାଟକରୁ କଂଗ୍ରେସ ଜଣେ ମାତ୍ର ପ୍ରାର୍ଥୀ ଠିଆ କରାଇବ ବୋଲି ସୋମବାର ଦିନ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର କହିଛନ୍ତି। ଦେବେଗୌଡ଼ାଙ୍କ ପ୍ରାର୍ଥୀତ୍ବକୁ କଂଗ୍ରେସ ସମର୍ଥନ କରିବା କଥା ଖୁବ୍ ଶୀଘ୍ର ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର