ଅଶ୍ୱିନୀଙ୍କୁ ଇସ୍ତଫା ମାଗୁଥିବା ବିରୋଧୀ ଦଳଙ୍କୁ ଟାର୍ଗେଟ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣା ପରେ କଂଗ୍ରେସ ପରି ଏବେ କିଛି ବିରୋଧୀ ଦଳ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗୁଛନ୍ତି | କଂଗ୍ରେସର କହିବା କଥା ଯେ ଏହି ରେଳ ଦୁର୍ଘଟଣା ଏକ ମନୁଷ୍ୟକୃତ ବିପତ୍ତି। ରେଳ ମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଶହ ଶହ ଯାତ୍ରୀ ପ୍ରାଣ ହରାଇଲେ। ରେଳମନ୍ତ୍ରୀ ଏହାର ଉତ୍ତରଦାୟିତ୍ବ ନେବେ କି ନାହିଁ ? ରେଳ ମନ୍ତ୍ରୀ ନିଜ ପଦବିରୁ ଇସ୍ତଫା ଦେବା କଥା। କଂଗ୍ରେସ ଭଳି ଟିଏମ୍‌ସି, ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଏନ୍‌ସିପି, ସମାଜବାଦୀ ପାର୍ଟି ପ୍ରମୁଖ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି |


ତେବେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି ଭିତରେ ଆଜି ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସୁପ୍ରିମୋ ଏଚଡ଼ି ଦେବଗୌଡ଼ା | ଦେବଗୌଡ଼ା ଅଶ୍ଵିନୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ରେଳ ମନ୍ତ୍ରୀ ଯେଉଁ ସବୁ ପଦକ୍ଷେପ ନେବା କଥା ସେସବୁ ନେଇଛନ୍ତି | ସେ ବହୁତ ପରିଶ୍ରମ କରୁଛନ୍ତି | ତଦନ୍ତ ସମାପ୍ତ ହେବାକୁ ଦିଆଯାଉ | ରେଳ ମନ୍ତ୍ରୀ କ୍ଷତିର ଭରଣପୋଷଣ ସହ ରେଳଧାରଣା ପୁନରୁଦ୍ଧାର କାମ କରିବାକୁ ସବୁ ପଦକ୍ଷେପ ଉଠାଇଛନ୍ତି | ମୁଁ ଦେଖୁଛି ଯେ ସେ ୫୫ ଘଣ୍ଟାରୁ ଅଧିକ ସମୟ ଧରି ଘଟଣାସ୍ଥଳରେ ରହି ପରିଶ୍ରମ କରିଛନ୍ତି | ତେଣୁ ଏବେ ଇସ୍ତଫା ମାଗିବା ଠିକ ହେଉନାହିଁ | ସେ କହିଛନ୍ତି ଯେ ମୋ ଦଳ ରାଜନୀତିକୁ ଦେଖି ବୟାନବାଜି କରେ ନାହିଁ | ରେଳ ମନ୍ତ୍ରୀ ନିଜର ସର୍ବୋତ୍ତମ ଦେଉଥିବାବେଳେ ଇସ୍ତଫା ମାଗିବା ଠିକ ନୁହେଁ |

ସମ୍ବନ୍ଧିତ ଖବର