ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରକୁ ଉତ୍ତର ପ୍ରଦେଶ ସରକାର ଯେଭଳି ପରିଚାଳନା କରିଛନ୍ତି ତାର ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀକୁ ଦିନିକିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଆଜି ୧୫୦୦ କୋଟି ଟଙ୍କାରୁ ଅଧିକ ରାଶିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଇଆଇଟି-ବିଏଚୟୁ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଯୋଗୀ ସରକାର କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଦେଶରେ ଉତ୍ତର ପ୍ରଦେଶ ସର୍ବାଧିକ ଟେଷ୍ଟିଂ କରିଥିବା ସେ କହିଥିଲେ। ଗତ କିଛିବର୍ଷ ମଧ୍ୟରେ ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଅନେକ କିଛି କାର୍ଯ୍ୟ କରିଛନ୍ତି। ଏଥିଯୋଗୁ ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଛି। ଏଥିସହିତ ଅନେକ ଗୁଡ଼ିକ ଅକ୍ସିଜେନ ପ୍ଲାଣ୍ଟ ଓ ଆଇସିୟୁ ବେଡ୍ ସ୍ଥାପନ ହେଉଛି। ଏହାଦ୍ବାରା ବାରଣାସୀ ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ମିଳିପାରିବ ବୋଲି ସେ କହିଛନ୍ତି। ରାଜ୍ୟରେ ମାଫିଆ ରାଜ୍ ଏବଂ ଆତଙ୍କବାଦ ନିୟନ୍ତ୍ରଣ ବାହାରକୁ ଏକଦା ଚାଲି ଯାଇଥିବାବେଳେ ଏବେ ଏହା ଆଇନର ମୁଠାକୁ ଆସୁଛି। ବର୍ତ୍ତମାନ ଉତ୍ତର ପ୍ରଦେଶରେ ସରକାର ଦୁର୍ନୀତି ଏବଂ ପ୍ରିୟାପ୍ରୀତି ତୋଷଣ ଦ୍ବାରା ପରିଚାଳିତ ହେଉନାହିଁ ବରଂ ବିକାଶ ଦ୍ବାରା ପରିଚାଳିତ ହେଉଛି ବୋଲି ମୋଦୀ ଏହି ଅବସରରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଟ ୭୪୪ କୋଟି ଟଙ୍କା ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୮୩୯ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରୁଦ୍ରାକ୍ଷ ନାମକ ଅନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର ରହିଛି। ଜାପାନ ସହଯୋଗରେ ଏହି କେନ୍ଦ୍ର ସ୍ଥାପନ ହୋଇଛି। ଗଙ୍ଗା ନଦୀରେ ରୋ-ରୋ ଭେସେଲ୍ର ଉଦଘାଟନ କରିବା ସହିତ ମୋଦୀ କହିଥିଲେ ଏହା ବାରଣାସୀରେ ପର୍ଯ୍ୟଟନକୁ ଆଗକୁ ନେବ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ଭାରତ ଏବଂ ବିଶ୍ବରେ କାଶୀ ବିକାଶର ଏକ ନୂଆ ପର୍ଯ୍ୟାୟକୁ ଯାଇପାରିଛି। ବାରଣାସୀରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/modi-6.jpg)