ମୁମ୍ବାଇ : ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ପୁଣି ଏକ ନୂଆ ମୋଡ଼ ନେଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ସପ୍ତାହ ପରେ ବି ମହାରାଷ୍ଟ୍ରରେ ସରକାର ଗଠନ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁ ନ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ‌େ‌ତବେ ଫଡନାଭିସ ଇସ୍ତଫା ଦେବାପରେ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ରାଜ୍ୟପାଳ କହିଛନ୍ତି।

ଚଳିତ ବିଧାନସଭାର କାର୍ଯ୍ୟକାଳ ଶନିବାର ସମାପ୍ତ ହେବାକୁ ଯାଉଥିବାବେଳେ ଫଡନାଭିସ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ପରବର୍ତ୍ତୀ ସରକାର କିଏ ଗଠନ କରିବ ସେ ନେଇ ସ୍ଥିତି ଆଦୌ ସ୍ପଷ୍ଟ ହୋଇନାହିଁ। ଇସ୍ତଫା ଦେବା ପରେ ଫଡନାଭିସ ଏକ ସାମ୍ବାଦିକ ସମ୍ମିଳନୀରେ ଶିବସେନାକୁ କଡ଼ା ସମାଲୋଚନା କରିଛନ୍ତି। ଶିବସେନା ୫୦-୫୦ ଫର୍ମୁଲା ଆଧାରରେ ଅଢ଼େଇ ବର୍ଷ ଲେଖାଏଁ ଉଭୟ ଦଳର ମୁଖ୍ୟମନ୍ତ୍ରୀ ରହିବାକୁ ଯେଉଁ ଦାବି କରୁଛି ତାହା ସଂପୂର୍ଣ୍ଣ ଅଯୌକ୍ତିକ। ଏଭଳି ପ୍ରସ୍ତାବ ନେଇ ପୂର୍ବରୁ ଶିବସେନା ସହିତ କୌଣସି ଆଲୋଚନା ହୋଇନାହିଁ ବୋଲି ଫଡନାଭିସ କହିଛନ୍ତି। ଶିବସେନା ଫଳାଫଳ ଆସିବା ପରଠାରୁ ନକାରାତ୍ମକ ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛି ଏବଂ ବିଜେପି ସହିତ ଆଲୋଚନା କରିବା ବଦଳରେ ସରକାର ଗଠନ ପାଇଁ ଏନ୍‌ସିପି ଏବଂ କଂଗ୍ରେସ ସହିତ ଆଲୋଚନା କରିଛି ବୋଲି ସେ କହିଛନ୍ତି।

ଫଡନାଭିସ କହିଛନ୍ତି; ନିର୍ବାଚନରେ ଆମକୁ ୨୦୧୪ ତୁଳନାରେ କିଛି ଆସନ କମ୍‌ ଆସିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସରକାର ଗଠନ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ଏଥର ନିର୍ବାଚନରେ ଏନ୍‌ଡିଏକୁ ସ୍ପଷ୍ଟ ଜନାଦେଶ ମିଳିଛି। କିନ୍ତୁ ଶିବସେନା ଯେଉଁ ଦାବି କଥା ଉଠାଇ ବିଭ୍ରାନ୍ତି ସୃଷ୍ଟି କରିଛି ସେଭଳି କୌଣସି ଆଲୋଚନା ଆମେ କରିନାହୁଁ। ମୁଁ ଦଳ ସଭାପତି ଅମିତ ଶାହ ଏବଂ ନୀତିନ ଗଡ଼କରୀଙ୍କୁ ଶିବସେନାର ୫୦-୫୦ ଫର୍ମୁଲା ସଂପର୍କରେ ପଚାରିଥିଲି। କିନ୍ତୁ ସେମାନେ ଏଭଳି କୌଣସି ଫର୍ମୁଲା ନେଇ ଉଦ୍ଧବ କିମ୍ବା ଅନ୍ୟ କୌଣସି ନେତାଙ୍କ ସହିତ ଆଲୋଚନା କରି ନ ଥିବା ସ୍ପଷ୍ଟ କରିଛନ୍ତି। ଯଦି ଏଭଳି କୌଣସି ଆଲୋଚନା ହୋଇଥାନ୍ତା; ଆମେ ଏହି ଆଧାରରେ ଆଲୋଚନା କରି କିଛି ନିଷ୍ପତ୍ତି ନେଇଥାନ୍ତୁ।

ଫଡନାଭିସ୍‌ ଆହୁରି କହିଛନ୍ତି ଯେ ବିଜେପି ରାଜ୍ୟରେ ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ ଏନ୍‌ଡିଏ ମେଣ୍ଟ ପୁଣି ସରକାର ଗଠନ କରିବା ପାଇଁ ରାଜ୍ୟବାସୀ ସେମାନଙ୍କ ମତ ଦେଇଛନ୍ତି। ତେବେ ଶିବସେନାର କିଛି ନେତା ସର୍ବଦା ମେଣ୍ଟ ପାଇଁ କ୍ଷତି ହେଲା ଭଳି ବୟାନ ଦେଇ ଆସୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଅପମାନିତ କରି ଶିବସେନା ନେତାମାନେ ଗଣମାଧ୍ୟମରେ ବୟାନ ଦେଉଥିବା ନଜିର ରହିଛି। ଶିବସେନାର ଅନେକ ନେତାଙ୍କ ଏଭଳି ବେପରୁଆ ବୟାନ ଏନ୍‌ଡିଏ ମେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରୁଛି। ଯଦି ମହାରାଷ୍ଟ୍ରରେ ଆଗକୁ କୌଣସି ସରକାର ଗଠନ ହେବ ତାହା ବିଜେପି ନେତୃତ୍ବରେ ହିଁ ଗଠନ ହେବ ବୋଲି ଫଡନାଭିସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର