‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଏନଆଇଏ ପକ୍ଷରୁ ଗତ ଗୁରୁବାର ଦିନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର କାର୍ଯ୍ୟାଳୟ ଏବଂ ଅନେକ ରାଜ୍ୟରେ ନେତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉକୁ ବିରୋଧ କରି ଶୁକ୍ରବାର ଦିନ ମହାରାଷ୍ଟ୍ରର ପୁଣେରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ପିଏଫ୍ଆଇ କର୍ମୀମାନେ ଏକାଠି ହୋଇଥିଲେ। ଏହି ସମୟରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ। ଆଉ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହୋଇଛନ୍ତି ମହାରାଷ୍ଟ୍ର ସରକାର |

ରାଜ୍ୟ ସରକାର ଏହି ବ୍ୟକ୍ତିମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି | ଏହି ପ୍ରସଙ୍ଗରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଦୁଇଟି ଭିନ୍ନ ଭିଡ଼ିଓ ଆସିଛି ଏବଂ ଏହାର ତଦନ୍ତ କରାଯିବ | କିନ୍ତୁ ମହାରାଷ୍ଟ୍ରରେ ଯଦି କେହି ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଅନ୍ତି ତେବେ ଆମେ ସେମାନଙ୍କୁ ଛାଡ଼ିବୁ ନାହିଁ। ଦେଶଦ୍ରୋହ ଅଭିଯୋଗରେ ମାମଲା ରୁଜୁ ହୋଇଛି। ‘। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ ଯେ ରାଜ୍ୟରେ ଏଭଳି ସ୍ଲୋଗାନକୁ ବରଦାସ୍ତ କରାଯିବ ନାହିଁ।

ମୁଖ୍ୟମନ୍ତ୍ରୀ ସିନ୍ଦେ ଏକ ଟୁଇଟ୍ ଜରିଆରେ କହିଥିଲେ ଯେ, ‘ଛତ୍ରପତି ଶିବାଜୀ ମହାରାଜଙ୍କ ମାଟିରେ ଦେଶବିରୋଧୀ ସ୍ଲୋଗାନକୁ ବରଦା‌ସ୍ତ କରାଯିବ ନାହିଁ। ପୁଲିସ ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।” ସୂଚନା ଥାଉ କି ପୁଣେର ଜିଲ୍ଲାପାଳଙ୍କ ଅଫିସ୍‌ ବାହାରେ ଶୁକ୍ରବାର ଦିନ ପିଏଫ୍‌ଆଇ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ହିଂସାତ୍ମକ ଆନ୍ଦୋଳନ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ପ୍ରାୟ ୪୦ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ପୁଲିସ ଗାଡ଼ିକୁ ନେବା ସମୟରେ ସେମାନେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ‌ ଦେଉଥିବାର ଦେଖାଯାଇଥିଲା।

ସମ୍ବନ୍ଧିତ ଖବର