ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ଧରି ଚାଲିଥିବା ରାଜନୈତିକ କଳହର ଏବେ ଅନ୍ତ ଘଟିଛି। ଠାକରେ ସରକାରଙ୍କ ପତନ ଘଟିବା ସହ ଆଜି ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଳ୍ପନାଜଳ୍ପନା ଲାଗି ରହିଥିଲା ଯେ ଦେବେନ୍ଦ୍ର ଫଡନବୀସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏବଂ ଏକନାଥ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। କିନ୍ତୁ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବେନ୍ଦ୍ର ଫଡନବୀସ୍ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ।

Advertisment

ଏହି ଘୋଷଣା ପରେ ନିଜେ କୌଣସି ପଦବୀରେ ରହିବେ ନାହିଁ ବୋଲି ଫଡ଼ନବୀସ କହିଥିଲେ ବି କିଛି ସମୟ ପରେ ସେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଥିଲା। ତେବେ ହଠାତ ତାଙ୍କର ଏଭଳି ନିଷ୍ପତ୍ତି ପରିବର୍ତ୍ତନ ପ‌ଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଥିବା ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ସରକାର ବଦଳାଇବାରେ ବଡ଼ ଭୂମିକା ଗ୍ରହଣ କରିଥିବା ଫଡନବୀସ କୌଣସି ପଦବୀରେ ରହିବାକୁ ଚାହୁଁନଥିବା ଜାଣି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କଲ୍ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ କହିବାରୁ ଫଡ଼ନବୀସ ରାଜି ହୋଇଥିଲେ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ଲେଖିଥିଲେ ଯେ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଜୀଙ୍କ କଥା ମାନି ମହାରାଷ୍ଟ୍ର ରାଜ୍ୟ ଓ ଜନତାଙ୍କ ହିତ ପାଇଁ ଦେବେନ୍ଦ୍ରଜୀ ସରକାରରେ ସାମିଲ ହେବା ପାଇଁ ରାଜି ହୋଇଛନ୍ତି । ଏହା ମହାରାଷ୍ଟ୍ର  ପ୍ରତି ତାଙ୍କର ନିଷ୍ଠା ଓ ସେବାଭାବର ପରାକାଷ୍ଠା । ମୁଁ ତାଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଉଛି ।