ଉଦ୍ଧବ ଠାକରେଙ୍କ ସରକାରର ପତନ ଆରମ୍ଭ ହେଲା: ଦେବେନ୍ଦ୍ର ଫଡନବିସ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣର ୫ ଦିନ ପରେ ଶିବସେନାର ମନ୍ତ୍ରୀ ଅବଦୁଲ ସତ୍ତାର ଇସ୍ତଫା ଦେବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି ଯେ ମହାବିକାଶ ଅଘାଡି ସରକାର ପତନର ଆରମ୍ଭ ହେଲା। ଗତକାଲି ସେ ଜିଲ୍ଲାପରିଷଦ ନିର୍ବାଚନ ଲାଗି ଆୟୋଜିତ ଏକ ସଭାରେ ଏହା କହିଛନ୍ତି। ୱାସିମଠାରେ ଆୟୋଜିତ ଏହି ସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବିସ ମନ୍ତ୍ରିମଣ୍ଡଳର ସଂପ୍ରସାରଣରେ ବିଳମ୍ବକୁ ନେଇ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଥିଲେ।

Image Source-india tv

ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳର ସଂପ୍ରସାରଣକୁ ନେଇ ଅବଦୁଲ ସତ୍ତାର ଅସନ୍ତୁଷ୍ଟ ଥିଲେ। ମନ୍ତ୍ରିମଣ୍ଡଳରେ ତାଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ମିଳିବ ବୋଲି ସେ ଆଶାବାଦୀ ଥିଲେ। କିନ୍ତୁ ଏଭଳି ନ ହେବା ଦ୍ଵାରା ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତା’ଛଡ଼ା ତାଙ୍କୁ ନିଜର ମନପସନ୍ଦ ବିଭାଗ ବି ମିଳି ନ ଥିବା କୁହାଯାଉଛି। ଏହି କାରଣରୁ ଅବଦୁଲ ସତ୍ତାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ପଦ ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ କୈଳାସ ଗୋରନ୍ତ୍ୟାଲ୍। କୈଳାସ କହିଛନ୍ତି ସେ ସମସ୍ତ ଦଳୀୟ ପଦବୀରୁ ଆଜି ଇସ୍ତଫା ଦେବେ । ସେ କହିଛନ୍ତି ଯେ ସେ ଜିଲ୍ଲା କଂଗ୍ରେସ କମିଟିର ଶନିବାର ଦିନ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ପାର୍ଟିର ମୁଖ୍ୟ ବାଲାସାହେବ ଥୋରାଟଙ୍କୁ ସାକ୍ଷାତ କରି ଦଳରୁ ଇସ୍ତଫା ଦେବେ । ବିଧାୟକ କୈଳାସ ଗୋରନ୍ତ୍ୟାଲଙ୍କ ସହ ଜାଲନା ପୌର ପରିଷଦ ଏବଂ ଜିଲ୍ଲା ପରିଷଦର କଂଗ୍ରେସ ସଦସ୍ୟମାନେ ମଧ୍ୟ ନିଜର ଇସ୍ତଫା ଦେବେ ବୋଲି ଜଣାଯାଇଛି। ଜାଲନା ତହସିଲର ସମସ୍ତ କଂଗ୍ରେସ ପଦାଧିକାରୀ ପୂର୍ବରୁ ଦଳରୁ ଇସ୍ତଫା ଦେଇ ସାରିଛନ୍ତି ବୋଲି କୈଳାସ ଗୋରନ୍ତ୍ୟାଲ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର