ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ଅଜିତ ବହିଷ୍କୃତ
ଶରଦ ପାୱାରଙ୍କ ବୈଠକରେ ଏନ୍‌ସିପି‌ର ୫୦ ବିଧାୟକ

Advertisment

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ରାତାରାତି ସବୁକିଛି ଓଲଟପାଲଟ ହୋଇଯାଇଛି। ରାଜନୀତିରେ ସବୁକିଛି ସମ୍ଭବ ବୋଲି ଆଜି ମହାରାଷ୍ଟ୍ର ପୁଣି ଥରେ ପ୍ରମାଣ କରିଦେଇଛି ଏବଂ ରାଜ୍ୟ ରାଜନୀତିରେ ଏକ ନୂଆ ନାଟକ ଦେଖିବାକୁ ମିଳିଛି। ରାଜ୍ୟରେ ଶିବ ସେନା ନେତୃତ୍ବରେ ସରକାର ଗଠନ ପାଇଁ ଏନ୍‌ସିପି ଏବଂ କଂଗ୍ରେସ ପ୍ରସ୍ତୁତି ଚଳାଇଥିବା ବେଳେ ବିଜପିକୁ କ୍ଷମତାସୀନ କରାଇବା ଲାଗି ମଧ୍ୟରାତିରୁ ଚଳଚଞ୍ଚଳ ହୋଇପଡ଼ିଥିଲା ରାଜଭବନ। ସକାଳେ ଶିବ ସେନା, ଏନ୍‌ସସିପି ଏବଂ କଂଗ୍ରେସର ନେତାମାନେ ବିଛଣାରୁ ଉଠିବା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏନ୍‌ସିପି ନେତା ଅଜିତ ପାୱାର। ଏହି ଖବର ପ୍ରଚାରିତ ହେବାମାତ୍ରେ ରାଜ୍ୟ ଓ ଜାତୀୟ ରାଜନୀତିରେ ଭୂକଂପ ସୃଷ୍ଟି ହୋଇଥିଲା।

ରାଜ୍ୟପାଳଙ୍କ ବିଳମ୍ବିତ ରାତି ପଦ‌େକ୍ଷପ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବ‌ା ସହିତ ବିଜେପିର ‌ତୀବ୍ର ସମାଲୋଚନା କରିଛନ୍ତି। କେବଳ ଏତିକି ନୁହେଁ, ଶିବ ସେନା, ଏନ୍‌ସିପି ଏବଂ କଂଗ୍ରେସ ଆଜି ସନ୍ଧ୍ୟାରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ଫଡନାଭିସଙ୍କୁ ନିର୍ଦେଶ ଦେବାପାଇଁ ସେମାନେ ଅନୁରୋଧ କରିଛନ୍ତି।

ଶିବ ସେନା, ଏନ୍‌ସିପି ଏବଂ କଂଗ୍ରେସର ନେତାମାନେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବାକୁ ଯୋଜନା କରିଥିଲେ। କିନ୍ତୁ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ତଥା ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ବିଦ୍ରୋହ ଶିବସେନା-ଏନ୍‌ସିପି ଖେଳକୁ ବିଗାଡ଼ି ଦେଇଥିଲା। ଶରଦ ପାୱାର ଏଥିରେ କ୍ଷୁବ୍ଧ ହୋଇ ଅଜିତଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇବା ସହିତ ସନ୍ଧ୍ୟା ବେଳେ ବିଧାୟକମାନଙ୍କର ବୈଠକ ଡାକିଥିଲେ। ବୈଠକରେ ଏନ୍‌ସିପିର ମୋଟ୍ ୫୪ ଜଣଙ୍କ ମଧ୍ୟରୁ ୫୦ ଜଣ ବିଧାୟକ ଏହି ବୈଠକରେ ଉପସ୍ଥିତ ଥିବା କୁହାଯାଉଛି। ପାୱାର କହିଥିଲେ ଯେ ଶିବ ସେନାକୁ ସମର୍ଥନ ଦେବାଲାଗି ତାଙ୍କ ପାର୍ଟି ବିଧାୟକମାନଙ୍କର ଯେଉଁ ଦସ୍ତଖତ ନେଇଥିଲା ତାହାକୁ ଅଜିତ ବୋଧହୁଏ ଚଞ୍ଚକତା କରି ବି‌େଜପି ସପକ୍ଷରେ ଦର୍ଶାଇ ରାଜ୍ୟପାଳଙ୍କୁ ଦେଇଛନ୍ତି।

ରାଜ୍ୟରେ ଅକ୍ଟୋବର ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲେ ମଧ୍ୟ କୌଣସି ଦଳ ସରକାର ଗଠନ ପାଇଁ ସମର୍ଥ ହୋଇନଥି‌େଲ। ଗତ ୧୦ ଦିନ ଧରି ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ମେଣ୍ଟ ସରକାର ଗଠନ ପାଇଁ ଆଲୋଚନା ଚଳାଇଥିଲେ। ଗତରାତିରେ ତିନି ଦଳର ନେତାମାନେ ଏକାଠି ହୋଇ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିଥିଲେ। ସେହିଅନୁଯାୟୀ ଆଜି ସେମାନେ ରାଜ୍ୟପାଳଙ୍କୁ ଭେଟିବା ଲାଗି ଯୋଜନା କରିଥିଲେ।

ଯାହା ଜଣାପଡ଼ିଛି ଯେ ଗତ ରାତିରେ ଏହି ତିନି ଦଳର ବୈଠକ ଚାଲିଥିବା ବେଳେ ଏହି ମେଣ୍ଟକୁ ଚକ୍‌ମା ଦେବାଲାଗି ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ଏହାର ଖେଳ ଆରମ୍ଭ କରିଦେଇଥିଲା। ରାତି ସାଢ଼େ ୯ଟାରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ବିଜେପି ଦାବି ଉପସ୍ଥାପନ କରିଥିଲା। ୧୧ଟା ୪୫ରେ ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାର ୫୪ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବା ପରେ ସରକାର ଗଠନ ପାଇଁ ରାସ୍ତା ପରିସ୍କାର ହୋଇଯାଇଥିଲା। ଏହାପରେ ଭୋର୍‌ ୫ଟା ୪୭ରେ ବିନା କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ସୁପାରିସ କରିଥିଲେ। ଏହାକୁ ରାଷ୍ଟ୍ରପତି ଗ୍ରହଣ କରିଥିଲେ। ସକାଳ ୭ଟା ୫୦ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ‌ଆରମ୍ଭ ହୋଇଥିଲା। ବିଜେପି-ଏନ୍‌ସିପି ସରକାରକୁ ରାଜ୍ୟପାଳ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପାଇଁ ୩୦ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିବା ଜଣାପଡ଼ିଛି।

ବିଜେପି ଦ୍ବାରା ସରକାର ଗଠନକୁ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ଜୋର୍‌ଦାର ବିରୋଧ କରିଛନ୍ତି। ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାରେ ବିଜେପି ସଫଳ ହେବନାହିଁ ଏବଂ ଆମେ ହିଁ ସରକାର ଗଠନ କରିବୁ ବୋଲି ଏନ୍‌ସିପି ସୁପ୍ରିମୋ ଶରଦ୍‌ ପାୱାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶିବସେନା ବିଜେପି ଦ୍ବାରା ସରକାର ଗଠନକୁ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ ବୋଲି କହିବା ସହ ଏହା ବିରୋଧରେ ଜୋର୍‌ଦାର ଲଢ଼େଇ ହେବ ବୋଲି ଘୋଷଣା କରିଛି। ଆଜି ଶିବସେନା ପକ୍ଷରୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ କରାଯାଇଛି। ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କରି ରାଜ୍ୟପାଳ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରିଥିବାରୁ ତାଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଆବେଦନରେ ଦର୍ଶାଯାଇଛି। କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟ ଏହି ମାମଲାରେ ସୁପ୍ରିମ୍‌ କୋର୍ଟର ଆଶ୍ରୟ ନେଇଛନ୍ତି। କଂଗ୍ରେସ କହିଛି ଯେ ଆଜିର ଦିନକୁ ଇତିହାସରେ କଳା ଅକ୍ଷରରେ ଲିପିବଦ୍ଧ କରାଯିବ।

ଶୁକ୍ରବାର ରାତିରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଥିଲେ ଶିବସେନା ନେତୃତ୍ବରେ ସରକାର ଗଠନ ହେବ। କିନ୍ତୁ ରାତାରାତି ଖେଳ ଓଲଟାଇବାରେ ବିଜେପି ସମର୍ଥ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫଡନାଭିସଙ୍କୁ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଭୟ ନେତା (ଫଡନାଭିସ୍‌ ଓ ଅଜିତ ପାୱାର) ମହାରାଷ୍ଟ୍ରର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ। ଶପଥ ଗ୍ରହଣ ପରେ ଫଡନାଭିସ କହିଛନ୍ତି ଯେ ସରକାର ଗଠନ ପାଇଁ ବିଜେପି-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲା। କିନ୍ତୁ ଶିବସେନା ପଛକୁ ହଟିଯିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ମହାରାଷ୍ଟ୍ର ଭଳି ରାଜ୍ୟରେ ରାଷ୍ଟ୍ରପତି ଶାସନ ଅଧିକ ଦିନ ରହିବା ରାଜ୍ୟ ପାଇଁ ମଙ୍ଗଳଦାୟକ ନଥିବାରୁ ସରକାର ଗଠନ ଜରୁରୀ ଥିଲା ବୋଲି ଫଡନାଭିସ କହିଛନ୍ତି। ମହାରାଷ୍ଟ୍ରବାସୀଙ୍କୁ ଆମେ ସ୍ଥିର ସରକାର ଦେବୁ ଏବଂ ରାଜ୍ୟରେ ପରସ୍ପର ବିରୋଧୀ ଦଳମାନଙ୍କର ଏକ ମିଳିତ ସରକାର ଆବଶ୍ୟକ ନଥିଲା। ଶିବସେନା ଜନମତକୁ ଅପମାନିତ କରିଛି ବୋଲି ଫଡନାଭିସ କହିଛନ୍ତି। ଶପଥ ନେବାପରେ ଅଜିତ ପାୱାର କହିଛନ୍ତି ଯେ ମହାରାଷ୍ଟ୍ରରେ କୃଷକଙ୍କ ସମସ୍ୟା ସମାଧାନ କରିବା ଆମର ପ୍ରାଥମିକତା ଏବଂ ରାଜ୍ୟର ବିକାଶ ପାଇଁ ଆମେ ସ୍ଥିର ସରକରାର ଦେବାକୁ ବଦ୍ଧପରିକର।

ସୂଚନାଯୋଗ୍ୟ ଯେ ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୧୦୫ ଆସନ ମିଳିଥିବା ବେଳେ ଶିବସେନାକୁ ୫୬, ଏନ୍‌ସିପିକୁ ୫୪ ଏବଂ କଂଗ୍ରେସକୁ ୪୪ ଆସନ ମିଳିଥିଲା। ତେବେ କେହି ସରକାର ଗଠନ କରିବାରେ ସମର୍ଥ ଦହେବାରୁ ନଭେମ୍ବର ୧୨ ତାରିଖରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।