କଂଗ୍ରେସରେ ଫାଟ; ସିନ୍ଧିଆ ଓ ଦ୍ବିବେଦୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ଧାରା ୩୭୦ରେ ମିଳୁଥିବା ସ୍ବତନ୍ତ୍ର ଅଧିକାରକୁ ପ୍ରତ୍ୟାହାର କରି ନିଆଯିବା ସହିତ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ମୋଦୀ ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ନେତାମାନେ ସମର୍ଥନ କରିବା ଆରମ୍ଭ କରିଦେଇଛନ୍ତି। ଗତକାଲି ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଭୁବନେଶ୍ବର କଲିତା ଏହି ବିଲ୍‌କୁ ସମର୍ଥନ କରିବା ସହିତ ରାଜ୍ୟସଭା ଏବଂ ଦଳରୁ ଇସ୍ତଫା ଦେଇଥିଲେ। ସେହିଭଳି ଗତକାଲି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ବିବେଦୀ ମଧ୍ୟ ଏହି ବିଲ୍ ସପକ୍ଷରେ କହିଥିଲେ। ତେବେ ସେ ସ୍ପଷ୍ଟ କରିଥିଲେ ଯେ ଏହା ତାଙ୍କ ଦଳୀୟ ମତ ନୁହେଁ ବରଂ ବ୍ୟକ୍ତିଗତ ମତ। ଗତକାଲି ଏହି ଦୁଇ ନେତା ମୋଦୀ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି କଂଗ୍ରେସ ଦଳକୁ ଅଡ଼ୁଆରେ ପକାଇଥିବାବେଳେ ଆଜି ପୁଣି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଲ୍‌କୁ ସମର୍ଥନ କରି ଦଳକୁ ପୁଣି ଅଡ଼ୁଆରେ ପକାଇଛନ୍ତି। ସିନ୍ଧିଆ କହିଛନ୍ତି, ସେ ଏହି ସରକାରଙ୍କ ପଦକ୍ଷେପକୁ ସମର୍ଥନ କରୁଛନ୍ତି। କିନ୍ତୁ ସାମ୍ବିଧାନିକ ଉପାୟରେ ଏହା କରାଯାଇଥିଲେ ଆହୁରି ଭଲ ହୋଇଥାନ୍ତା। ସେହଭଳି ମୁମ୍ବାଇ କଂଗ୍ରେ‌ସ ମୁଖ୍ୟ ମିଲିନ୍ଦ ଦେଓରା ମଧ୍ୟ ଧାରା ୩୭୦ ଉଚ୍ଛେଦ ସପକ୍ଷରେ ମତ ଦେଇଛନ୍ତି। ଧାରା ୩୭୦କୁ ଉଦାର ବନାମ ସଂରକ୍ଷଣବାଦ ବିତର୍କରେ ରୂପାନ୍ତରିତ କରାଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିଭଳି ହରିୟାଣା ରୋହତକରୁ ତିନି ଥର ଏମପି ହୋଇଥିବା କଂଗ୍ରେସ ନେତା ଦୀପୀନ୍ଦର ହୁଦା ମଧ୍ୟ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା ଅନିଲ ଶାସ୍ତ୍ରୀ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି। ରାଏ ବରେଲିର କଂଗ୍ରେସ ଏମପି ଅଦିତି ସିଂହ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର