ନୂଆଦିଲ୍ଲୀ: ପ୍ରସିଦ୍ଧ ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ମିଶ୍ରଣ ଅଭିଯୋଗ ପରେ ଏବେ ସେଥିରେ ତମାଖୁ ମିଳିଛି ବୋଲି ଜଣେ ଭକ୍ତ ଅଭିଯୋଗ ଆଣିଛନ୍ତି। ଭକ୍ତ ଜଣକ ଅଭିଯୋଗ କରିଛନ୍ତି ଯେ ସେ ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସାଦ ଭାବେ ପାଇଥିବା ଲଡୁରେ ତମାଖୁ ପଡ଼ିଥିବା ଦେଖିବାକୁ ପାଇଛନ୍ତି। 

Advertisment

ଖମ୍ମମ୍‌ ଜିଲ୍ଲାର ବାସିନ୍ଦା ଡୋନ୍ଥୁ ପଦ୍ମାବତୀ କହିଛନ୍ତି ଯେ ସେ ସେପ୍ଟେମ୍ବର ୧୯ ତାରିଖରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଲଡୁରୁ ତମାଖୁ ଆବିଷ୍କାର କରିଥିଲେ। ପଦ୍ମାବତୀ ଲଡୁରୁ ଗୁଟ୍‌ଖା ଖଣ୍ଡ ଓ କାଗଜ ପାଇବା ପରେ ତାଙ୍କ ପରିବାର ଏବଂ ପଡ଼ୋଶୀମାନଙ୍କୁ ଏ ବିଷୟରେ ଜଣାଇଥିଲେ। ଏହି ସମୟର ଏକ ଭିିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ପଦ୍ମାବତୀ ନିଜର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ‘‘ମୁଁ ଯେତେବେଳେ ପ୍ରସାଦ ଆକାରରେ ଲଡୁ ପାଇଲି , ସେତେବେଳେ ଏକ ଛୋଟ କାଗଜରେ ଗୁଡ଼ାଯାଇଥିବା ତମାଖୁ ଖଣ୍ଡ ପାଇ ମୁଁ ଭୟଭୀତ ହୋଇଥିଲି। ପ୍ରସାଦ ପବିତ୍ର ହେବା ଉଚିତ। ପ୍ରସାଦରୁ ଏହିପରି ପ୍ରଦୂଷଣ ସାମଗ୍ରୀ ମିଳିବା ହୃଦୟ ବିଦାରକ ଅଟେ।’’

ଏହି ରିପୋର୍ଟ ଲକ୍ଷ ଲକ୍ଷ ତିରୁପତି ଭକ୍ତଙ୍କ ମଧ୍ୟରେ ଭୟ ଉପୁଜାଇଛି। ପୂର୍ବରୁ ଲଡୁରେ ପଶୁ ଚର୍ବି ମିଳିଥିବାର ଅଭିଯୋଗ ଆସିବା ପରେ ଏବେ ତମାଖୁ ମିଶିବା ଖବର ଚାଞ୍ଚଲ୍ୟ ଖେଳାଇଛି। ଦୀର୍ଘ ଦିନ ଧରି ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ଶୁଦ୍ଧତା ଏବଂ ଭକ୍ତିର ପ୍ରତୀକ ହୋଇ ଆସୁଥିବା ଏହି ତିରୁପତିର ଲଡୁକୁ ନେଇ ବିଭିନ୍ନ ପ୍ରକାରର ବିବାଦ ଦେଖିବାକୁ ମିଳିିଛି।