ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ନାମ ଦେଶର ସବୁଠାରୁ ପ୍ରତିଷ୍ଠିତ ଓ ଧନୀ ମନ୍ଦିର ତାଲିକାରେ ରହିଛି। ଏହି ମନ୍ଦିରରେ ଭଗବାନ ଭେଙ୍କେଟେଶ୍ବର ସ୍ବାମୀଙ୍କୁ ଭକ୍ତ କୋଟିକୋଟି ଟଙ୍କା ଦାନ କରିଥାଆନ୍ତି। ସୋମବାର ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତ୍ତି ୪ କୋଟି ଟଙ୍କାର ସୁନାର ଖଣ୍ଡା ଅର୍ପଣ କରିଛନ୍ତି।
ଶ୍ରୀନିବାସ ଦମ୍ପତ୍ତି ସୋମବାର ସକାଳେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧିକାରୀଙ୍କୁ ସୁନାର ଖଣ୍ଡା ଦାନ କରିଛନ୍ତି। ଶ୍ରୀନିବାସ ଦମ୍ପତ୍ତି ତିରୁମାଳାର କଲେକ୍ଟିଭ ଗେଷ୍ଟ ହାଉସରେ ଗଣମାଧ୍ୟମଙ୍କ ସାମ୍ନାରେ ପାଖାପାଖି ସାଢ଼େ ଛଅକିଲୋଗ୍ରାମ ଓଜନର ସୁନାର ଖଣ୍ଡା ଦେଖାଇଥିଲେ। କୁହାଯାଉଛି କି ଶ୍ରୀନିବାସ ଦମ୍ପତ୍ତି ଗତ ଏକବର୍ଷ ହେବ ଏହି ଖଣ୍ଡା ଅର୍ପଣ କରିବାକୁ ଚାହୁଁଥିଲେ କିନ୍ତୁ କରୋନା ହେତୁ ଏହା ସମ୍ଭବ ହୋଇ ନଥିଲା।
ସୁନାର ଖଣ୍ଡା ‘ସୂର୍ଯ୍ୟକଟାରୀ’କୁ ଶ୍ରୀନିବାସ ଦମ୍ପତ୍ତି ତାମିଲନାଡୁର କୋୟମ୍ବଟୁରରେ ତିଆରି କରିଥିଲେ । ଏହାକୁ ତିଆରି କରିବା ପାଇଁ ୬ମାସର ସମୟ ଲାଗିଥିଲା। ସାଢ଼େଛଅ କିଲୋ ଓଜନର ଏହି ଖଣ୍ଡା ଏବେ ଚର୍ଚ୍ଚାରେ ରହିଛି। ଏହି ଖଣ୍ଡାକୁ ଅର୍ପଣ କରିବାକୁ ନେଇ ଶ୍ରୀନିବାସ ଦମ୍ପତ୍ତି ବହୁତ ଖୁସି ଥିବା କହିଛନ୍ତି।