ପ୍ରୟାଗରାଜ: ଆମ ଦେଶର ଲୋକ ଟିକେ ଈଶ୍ବର ବିଶ୍ବାସୀ । ମଠ, ମନ୍ଦିର ଆଦି ବୁଲିବାକୁ ଭାରି ଆଗ୍ରହୀ । ଧାଁ ଦୌଡ ଭରା ଜୀବନରୁ କେବେ ଯଦି ଟିକେ ଫୁରସତ ମିଳିଲା ତେବେ ସେମାନେ କେଉଁ ଦେବାଳୟ କିମ୍ବା ଶିବାଳୟ ବୁଲିବାର ମୌକା ହାତ ଛଡା କରନ୍ତନି । ତୀର୍ଥରେ ସବୁବେଳେ  ରହିବାକୁ ପସନ୍ଦ କରୁଥିବା ଆମ ଦେଶର ଲୋକଙ୍କୁ ମହାକୁମ୍ଭ ଦେଇଛି ନିଆରା ଅନୁଭବ । ପୂଣ୍ୟ ଅର୍ଜନ ପାଇଁ ପବିତ୍ର ସ୍ନାନର ମହାସୁଯୋଗ ଦେଇଛି ଏହି ମହାକୁମ୍ଭ । ଆଉ ସାରା ଦେଶରୁ ଲୋକେ ଏବେ ମହାକୁମ୍ଭରେ ବୁଡ ପକାଇବାକୁ ଯାଉଛନ୍ତି ।

Advertisment

ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରୁଛନ୍ତି ଏବଂ ସେହି ମହାର୍ଘ ମୂହୁର୍ତ୍ତର ମୁକସାକ୍ଷୀ ପାଲଟୁଛନ୍ତି । ତେବେ ମହାକୁମ୍ଭକୁ ଯାଉଥିବା ଲୋକେ ଖାଲି ସଙ୍ଗମରେ ସ୍ନାନ ସାରି ଫେରି ଆସୁ ନାହାନ୍ତି ବରଂ ପାଖଆଖରେ ଥିବା ମଠ, ମନ୍ଦିର ବୁଲିବାର ସୁଯୋଗ ହାତ ଛଡା କରୁ ନାହାନ୍ତି । 

ଅଯୋଧ୍ୟାର ରାମ ମନ୍ଦିର ଏକ ପୂଣ୍ୟସ୍ଥଳୀ ହୋଇଥିବା ବେଳେ ମହାକୁମ୍ଭରେ ସ୍ନାନ ସାରି ଲକ୍ଷ ଲକ୍ଷ ଭକ୍ତ ମନ୍ଦିରରେ ରାମଲଲାଙ୍କ ଦିବ୍ୟ ଦର୍ଶନ କରୁଛନ୍ତି । ତେଣୁ ପ୍ରତିଦିନ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି । ସାଧାରଣ ଦିନ ଅପେକ୍ଷା ଆଗକୁ ମହାକୁମ୍ଭ ସରୁଥିବାରୁ ଅଧିକ ଲୋକଙ୍କ ସମାଗମ ପ୍ରୟାଗରାଜରେ ହେଉଥିବା ବେଳେ ପ୍ରୟାଗରାଜ ଠାରୁ ମାତ୍ର ୧୬୦ କି.ମି ଦୂରରେ ଥିବା ଅଯୋଧ୍ୟା ରାମ ମନ୍ଦିରକୁ ବୁଲି ଯାଉଛନ୍ତି ଶ୍ରଦ୍ଧାଳୁ ।