ନୂଆଦିଲ୍ଲୀ: ଦୀପାବଳିରେ ବାଣଫୁଟାକୁ ନେଇ ସୁପ୍ରିମ୍ କୋର୍ଟ ମଙ୍ଗଳବାର ନିଜ ପୂର୍ବ ଆଦେଶକୁ କୋହଳ କରିଛନ୍ତି। ବାଣଫୁଟା ସମୟ ବାବଦରେ ସୁପ୍ରିମ୍ କୋର୍ଟ କହିଛନ୍ତି, ରାଜ୍ୟଗୁଡ଼ିକ ଏହା ସ୍ଥିର କରିପାରିବେ। ପ୍ରଦୂଷଣ ମାତ୍ରାକୁ ଆଖିରେ ରଖି ରାଜ୍ୟଗୁଡ଼ିକ ପରିବେଶକୁ ସୁହାଇବା ଭଳି ସମୟ ସ୍ଥିର କରିପାରିବେ। ଅକ୍ଟୋବର ୨୩ରେ ସୁପ୍ରିମ୍ କୋର୍ଟ ଖଣ୍ଡପୀଠ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ତେଣୁ ବାଣଫୁଟା ସମୟ ନିର୍ଘଣ୍ଟକୁ ଦୁଇଘଣ୍ଟାରେ ସୀମିତ ରଖିଥିେଲ। ଦୀପାବଳିରେ ଲୋକମାନେ ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ବୋଲି କହିଥିଲେ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପରମ୍ପରା ଅନୁଯାୟୀ ଦିନରେ ବାଣ ଫୁଟାଇବା ପ୍ରଥା ଚଳି ଆସୁଥିବାରୁ ଏଥିରେ ପରବର୍ତ୍ତନ ପାଇଁ ତାମିଲନାଡ଼ୁର ଆବେଦନ ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟ ପୂର୍ବ ଆଦେଶରେ ପରିବର୍ତ୍ତନ ଆଣିଛନ୍ତି।
ସୁପ୍ରିମ୍ କୋର୍ଟ ଆଜି କହିଛନ୍ତି, ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଚରମସୀମାରେ ପହଞ୍ଚିଥିବାରୁ ଏଠାରେ କେବଳ ପରିବେଶ ଅନୁକୂଳ ବାଣ ଫୁଟାଯାଇ ପାରିବ। ଏହି ସର୍ତ୍ତ କେବଳ ଦିଲ୍ଲୀ-ଏନ୍ସିଆର୍ରେ ଲାଗୁ ହେବ। ଅନ୍ୟ ରାଜ୍ୟଗୁଡ଼ିକ କ୍ଷେତ୍ରରେ ଏହା ଲାଗୁ ହେବନାହିଁ। ତେବେ ରାତି ୮ଟାରୁ ୧୦ଟା ଯାଏଁ ହିଁ ବାଣ ଫୁଟାଯାଇ ପାରିବ। ରାଜ୍ୟଗୁଡ଼ିକ ଚାହିଲେ ଏହି ସମୟ ବଦଳାଇ ପାରିବେ। କିନ୍ତୁ ଏହା ଯେମିତି ଦୁଇଘଣ୍ଟାରୁ ଅଧିକ ନହୁଏ, ତାହା ଉପରେ ଧ୍ୟାନ ରଖିବାକୁ ହେବ।
ତାମିଲନାଡ଼ୁ ସରକାରଙ୍କ ନିବେଦନ ଆଧାରରେ ପରିବର୍ତ୍ତନ ପାଇଁ ସୁପ୍ରିମ୍ କୋର୍ଟ ରାଜି ହୋଇଥିଲେ। ରାଜ୍ୟଗୁଡ଼ିକ ନିଜ ପରମ୍ପରା ଅନୁସାରେ ବାଣ ଫୁଟାଇ ପାରିବେ। ଏଥିପାଇଁ ସେମାନେ ସମୟ ନିର୍ଦ୍ଧାରଣ କରିପାରିବେ। କିନ୍ତୁ ବାଣଫୁଟା ଅବଧି ଦୁଇଘଣ୍ଟାରୁ ଅଧିକ ହେବନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟ ନିଜ ଅକ୍ଟୋବର ୨୩ ରାୟରେ ଦୀପାବଳି ଓ ଅନ୍ୟ ଉତ୍ସବ ପାଇଁ ବାଣବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇ ପାରିବ ନାହିଁ ବୋଲି କହିଥିଲେ। କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ବାଣ ବିକ୍ରି କରିପାରିବେ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଫ୍ଲିପ୍କାର୍ଟ ଓ ଆମାଜନ୍ ଭଳି ଇ-କମର୍ସ କମ୍ପାନିମାନେ ବାଣ ବିକ୍ରି କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଅନ୍ଲାଇନ୍ ବାଣ ବିକ୍ରି କଟକଣା ତତ୍କାଳ କାର୍ଯ୍ୟକାରୀ ହୋଇଛି।
ଦୀପାବଳିରେ ବାଣଫୁଟା:୨ଘଣ୍ଟାରୁ ବଢ଼ିବନି
Oରାଜ୍ୟଗୁଡ଼ିକ ସ୍ଥିର କରିବେ ସମୟ Oଦକ୍ଷିଣ ରାଜ୍ୟଗୁଡ଼ିକ ପାଇଁ ଆଦେଶ କୋହଳ O କେବଳ ଦିଲ୍ଲୀରେ ପରିବେଶ ଅନୁକୂଳ ବାଣ
/sambad/media/post_attachments/wp-content/uploads/2018/10/03diwali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)