ମାନସିକ ଚିନ୍ତା ଆଉ ସହିପାରୁନି, ଅବସରପ୍ରାପ୍ତ ପୁଲିସ ଡ଼ିଜିଙ୍କର ମିଳିଲା ମୃତଦେହ

ଲଖନଉ: ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ପୂର୍ବତନ ପୁଲିସ ଡିଜି ଦୀନେଶ କୁମାର ଶର୍ମା | ଆଜି ଉତ୍ତରପ୍ରଦେଶର ଲଖନଉର ଗୋମତି ନଗରରେ ଥିବା ନିଜ ବାସଭବନରେ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଦୀନେଶ ଶର୍ମା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲାଇସେନ୍ସପ୍ରାପ୍ତ ରିଭଲଭରରେ ସେ ନିଜକୁ ଗୁଳି ମାରିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି | ଏନେଇ ଯୁଗ୍ମ ପୁଲିସ କମିଶନର (କ୍ରାଇମ) ନୀଲାବଜା ଚୌଧୁରୀ କହିଛନ୍ତି ଯେ ତାଙ୍କ ମୃତଦେହ ନିକଟରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ‘୧୯୭୫ ବ୍ୟାଚର ଆଇପିଏସ ଅଧିକାରୀ ଦୀନେଶ କୁମାର ଶର୍ମା (୭୩) ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ |

ସକାଳେ ତାଙ୍କ କୋଠରୀରୁ ତାଙ୍କ ମୃତଦେହ ମିଳିଥିଲା। ପୁଲିସ ତାଙ୍କ କୋଠରୀରୁ ଏକ ସୁଇସାଈଡ଼ ନୋଟ ମଧ୍ୟ ଜବତ କରିଛି। ପୁଲିସର ସୂଚନାନୁସାରେ ଶର୍ମା ତାଙ୍କ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି, ‘ମୁଁ ମାନସିକ ଚିନ୍ତା ଏବଂ ଅବସାଦକୁ ସହିପାରୁ ନାହିଁ। ତେଣୁ ମୁଁ ଆତ୍ମହତ୍ୟା କରୁଛି | ଏଥିପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି’। ପୁଲିସ ସୂତ୍ରରୁ ପ୍ରକାଶ ଯେ ଶର୍ମା, ଡିଜି ପଦରୁ ଅବସର ନେଇଥିବାବେଳେ ଡିପ୍ରେସନ ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା | ଦୀନେଶ ଶର୍ମା ୨୦୧୦ରେ ୟୁପି ପୁଲିସ୍ ହାଉସିଂ କର୍ପୋରେସନର ଡିଜି ପଦରୁ ଅବସର ନେଇଥିଲେ। ସେ ଯେଉଁ କୋଠରୀରେ ଆତ୍ମହତ୍ୟା କରିଥିଲେ ସେହି କୋଠରୀକୁ ସିଲ୍ କରାଯାଇଛି ଏବଂ ରିଭଲଭର ଜବତ କରାଯାଇଛି ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର