ନୂଆଦିଲ୍ଲୀ: ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କେତେକ କଟକଣା ଲଗାଇଥିଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିବା ବେଳେ ଏବେ ଏହି କଟକଣାର ସମୟସୀମାକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୨୯, ୨୦୨୨ ପର୍ଯ୍ୟନ୍ତ କମ୍ପାନିର ୫୦% ବିମାନ ଉଡ଼ାଣ କରିପାରିବ ନାହିଁ।
ତେବେ ବିଭିନ୍ନ ପ୍ରକାର ଯାଞ୍ଚ ଏବଂ ସ୍ପାଇସଜେଟ୍ ଦ୍ବାରା ଦାଖଲ ହୋଇଥିବା କାରଣଦର୍ଶାଅ ନୋଟିସର ଉତ୍ତରକୁ ଦୃଷ୍ଟିରେ ରଖି ନିରାପଦ ତଥା ନିର୍ଭରଯୋଗ୍ୟ ବିମାନ ପରିବହନ ସେବା ପାଇଁ ସ୍ପାଇସଜେଟର ପ୍ରସ୍ଥାନ ସଂଖ୍ୟା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଜୁଲାଇ ୨୭ରେ ନିର୍ଦ୍ଦେଶ ଦେଇଥିଲେ ଡିଜିସିଏ। ଏହି କଟକଣା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରଖିବାକୁ କୁହାଯାଇଥିଲା। ହେଲେ ଏବେ ଏହି ଅବଧିକୁ ବଢ଼ାଇ ଦିଆଯାଇଛି।
ଏପ୍ରିଲ ୧ରୁ ଜୁଲାଇ ୫ ମଧ୍ୟରେ ସ୍ପାଇସ ଜେଟ ବିମାନରେ ବାରମ୍ବାର ତ୍ରୁଟି ଦେଖାଯିବା ପରେ ତାହାକୁ ନେଇ ଯାତ୍ରୀଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିଥିଲେ । ଏପରିକି ଗତ ୧ ମାସ ମଧ୍ୟରେ ଏହି କମ୍ପାନିର ଫ୍ଲାଇଟଗୁଡ଼ିକରେ ୯ ଥର ତ୍ରୁଟି ଦେଖାଯାଇଥିଲା ।
ଗତ ଜୁନ ମାସ ୧୯ ତାରିଖରେ ପାଟନାରୁ ଦିଲ୍ଲୀଯାଉଥିବା ଏକ ବିମାନର ଏକ ଡେଣାରେ ନିଆଁ ଲାଗିଯିବାରୁ ତାହାର ଜରୁରୀକାଳୀନ ଅବତରଣ କରାଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡେ଼ଇଦିଆଯାଇଥିଲା । ସେହିପରି ଜୁଲାଇ ୫ରେ ମୁମ୍ବାଇଠାରେ ସ୍ପାଇସଜେଟର ଏକ ବିମାନର ଆଗ କାଚ ଫାଟିଯାଇଥିଲା ।
ଗତ ବର୍ଷ ଅକ୍ଟୋବର ମାସରେ ବି ଏହି କମ୍ପାନି ଉପରେ ୧ ମାସ ପାଇଁ କଟକଣା ଲଗାଯାଇଥିଲା । ବିମାନରେ ଲିଥିଅମ ଆୟନ ବ୍ୟାଟେରୀ ପରି କେତେକ ବିପଜ୍ଜନକ ସାମଗ୍ରୀ ପରିବହନ ପାଇଁ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଡିଜିସିଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ସ-7.jpg)