ଦେଶରେ ଉଡ଼ାଣ ଭରୁଥିବା ବିମାନଗୁଡ଼ିକରେ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ସୁରକ୍ଷିତ ବିମାନ ଯାତ୍ରା ଉପରେ ନିକଟ ଅତୀତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଦେଶରେ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ସମେତ ପାଞ୍ଚଟି ବିମାନ କମ୍ପାନିର ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ନ୍ୟୂନମାନର ତଥା ପର୍ଯ୍ୟାପ୍ତ ନଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ନିକଟରେ କରାଯାଇଥିବା ସୁରକ୍ଷା ଅଡିଟ୍ କାଳରେ, ଏହି ତଥ୍ୟ ଜଣା ପଡ଼ିଛି।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ନିକଟରେ କରାଯାଇଥିବା ସୁରକ୍ଷା ଅଡିଟ୍ କାଳରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ସ୍ପାଇସ ଜେଟ୍, ଏୟାର ଏସିଆ, ଇଣ୍ଡିଗୋ ଓ ଗୋ ଏୟାର ଅଧୀନରେ ଚଳାଚଳ କରୁଥିବା ବିମାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ଜଣା ପଡ଼ିଥିଲା। ଆଜି ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ମନ୍ତ୍ରୀ ଶ୍ରୀ ପୁରୀ।