ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା କଲା ଡିଜିସିଏ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର ୨ ଜଣ ଯାତ୍ରୀଙ୍କ ପ୍ରତି ଅଶୋଭନୀୟ ଆଚରଣକୁ ସଠିକ୍ ସମୟରେ ରିପୋର୍ଟ କରିନଥିବାରୁ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଜରିମାନା କରାଯାଇଛି। ୨୦୨୨ ଡିସେମ୍ବର ୬ ତାରିଖରେ ପ୍ୟାରିସ-ଦିଲ୍ଲୀ ବିମାନ (ଏଆଇ -୧୪୨)ରେ ୨ଜଣ ଯାତ୍ରୀ ବିମାନ କର୍ମଚାରୀଙ୍କ ନିର୍ଦ୍ଦେଶ ମାନିନଥିଲେ। ଜଣେ ଯାତ୍ରୀ ବିମାନରେ ଧୂମ୍ରପାନ କରି ଧରା ପଡ଼ିଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ବ୍ଲାଙ୍କେଟ୍ରେ ପରିସ୍ରା କରିଦେଇଥିଲେ। ତେବେ ଏୟାର ଇଣ୍ଡିଆ ପକ୍ଷରୁ ଉକ୍ତ ଘଟଣା ରିପୋର୍ଟ କରାଯାଇନଥିଲା। ଏହି ଖବର ପ୍ରକାଶ ପାଇବାପରେ ଡିଜିସିଏ ଏୟାର ଇଣ୍ଡିଆ ଆକାଉଣ୍ଟେବଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏର ନୋଟିସ ଉପରେ ଜବାବ ରଖାଯାଇଥିଲା। ତେବେ ଡିଜିସିଏ ଉକ୍ତ ମାମଲାକୁ ଆଭ୍ୟନ୍ତରୀଣ କମିଟିକୁ ପଠାଇ ମାମଲା ରିପୋର୍ଟ କରିବାରେ ବିଳମ୍ବ କରିଥିବାରୁ ଏହାଦ୍ବାରା ଡିଜିସିଏ ନିୟମ ଉଲ୍ଳଂଘନ ହୋଇଥିବା କହିଥିଲେ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମଧ୍ୟ ଡିଜିସିଏ ଏୟାର ଇଣ୍ଡିଆ ଉପରେ ଜରିମାନା କରିଥିଲେ। ୨୦୨୨, ନଭେମ୍ବର ୨୬ରେ ନ୍ୟୁୟର୍କ- ଦିଲ୍ଲୀ ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଏଥିପାଇଁ ଡିଜିସିଏ ମଧ୍ୟ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଜରିମାନା କରିଛନ୍ତି।