କକପିଟ୍‌ ଭିତରେ ମରାମରି : ୫ ବର୍ଷ ପାଇଁ ବିମାନ ଉଡ଼ାଇ ପାରିବେନି ଦୁଇ ପାଇଲଟ୍‌

ନୂଆଦିଲ୍ଲୀ: ଗତ ଜାନୁୟାରୀ ୧ ତାରିଖରେ ଜେଟ ଏୟାରେଓ୍ଵଜ୍‌ର ମୁମ୍ବାଇ-ଲଣ୍ଡନ ଫ୍ଲାଇଟ୍‌ ଭିତରେ ମାଡ ହୋଇଥିବା ଦୁଇଜଣ ପାଇଲଟ୍‌ଙ୍କ ଲାଇସେନ୍ସକୁ ୫ ବର୍ଷ ପାଇଁ ବାତିଲ କରିଛି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) । ଶହ ଶହ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ନିଜ ନିଜ ମଧ୍ୟରେ ବିବାଦରେ ଲିପ୍ତ ଥିବାରୁ ଦୁହିଁଙ୍କୁ ଏହି ଦଣ୍ଡ ଦିଆଯାଇଛି । ଏହି ୫ ବର୍ଷ ଭିତରେ ସେମାନେ କୌଣସି ଏୟାରଲାଇନ୍ସ ପାଇଁ ପାଇଲଟ ଭାବେ କାମ କରିପାରିବେ ନାହିଁ ।

ଗତ ଜାନୁୟାରୀ ୧ରେ ଜେଟ୍‌ ଏୟାରେଓ୍ଵଜର ମୁମ୍ବାଇ-ଲଣ୍ଡନ ଫ୍ଲାଇଟ୍‌ରେ ଜଣେ ପାଇଲଟ୍‌ ନିଜର ମହିଳା ସହ-ପାଇଲଟ୍‌ଙ୍କ ସହ ବଚସା ପରେ ତାଙ୍କୁ ଚାପୁଡ଼ା ମାରିଥିଲେ । ଏହାପରେ ମହିଳା ପାଇଲଟ୍‌ ଜଣକ ରାଗିକରି କକ୍‌ପିଟ୍‌ ବାହାରକୁ ଚାଲିଯାଇଥିଲେ । ତାଙ୍କ ପଛେ ପଛେ ଉକ୍ତ ପୁରୁଷ ପାଇଲଟ୍‌ ମଧ୍ୟ କକପିଟ୍‌ ବାହାରକୁ ଚାଲିଯାଇଥିଲେ । କିଛି ସମୟ ଧରି ଫ୍ଲାଇଟର କକ୍‌ପିଟ୍‌ରେ କୌଣସି ପାଇଲଟ୍‌ ନଥିଲେ । ଉଭୟ ପାଇଲଟ ଯାତ୍ରୀମାନଙ୍କ ଜୀବନକୁ ବିପନ୍ନ କରି ବାହାରକୁ ଚାଲିଯାଇଥିଲେ ।  ଅନ୍ତର୍ଜାତୀୟ ଓ ଭାରତୀୟ ବିମାନ ଚଳାଚଳ ବିମାନ ନିରାପତ୍ତା ନିୟମ ଅନୁସାରେ ଯେ କୌଣସି ପରିସ୍ଥିତିରେ ମଧ୍ୟ ଦୁଇଜଣଯାକ ପାଇଲଟ୍‌ କକପିଟ୍‌ ଖାଲି କରିପାରିବେ ନାହିଁ । ଯଦି କୌଣସି କାରଣରୁ ଜଣେ ପାଇଲଟ୍‌ ବାହାରକୁ ଗଲେ, ଜଣେ କ୍ୟାବିନ କ୍ରିଉ ସଦସ୍ୟ ଭିତରକୁ ଆସିବେ । ସହ ପାଇଲଟ ଫେରିବା ପର୍ଯ୍ୟନ୍ତ ସେ କକ୍‌ପିଟ୍‌ରେ ରହିବେ । ଏହାର କାରଣ ହେଉଛି କକପିଟରେ ଏକୁଟିଆ ଥିବା ଅବସ୍ଥାରେ ଯଦି ପାଇଲଟଙ୍କର କୌଣସି ଅସୁବିଧା ହେଲା ତେବେ ଦ୍ୱିତୀୟ ପାଇଲଟ ଆସିବା ପାଇଁ ଉକ୍ତ କ୍ରିଉ ମେମ୍ବର କକ୍‌ ପିଟ୍‌ କବାଟ ଖୋଲିପାରିବେ ।

 

ସମ୍ବନ୍ଧିତ ଖବର