ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଇ ବିମାନ ଚଳାଚଳ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ହମାସ୍-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମଧ୍ୟପ୍ରାଚ୍ୟ ଆକାଶରେ ହଠାତ ବେସାମରିକ ବିମାନରୁ ଜିପିଏସ୍ ସିଗ୍ନାଲ ଅଦୃଶ୍ୟ ହୋଇଯାଉଛି। ଏ ସଂପର୍କରେ ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସମସ୍ତ ଭାରତୀୟ ଏୟାରଲାଇନ୍ସକୁ ସତର୍କ କରାଇ ଦିଆଯାଇଛି।
ବେସାମରିକ ବିମାନର ଉଡ଼ାଣ ସମୟରେ ମଧ୍ୟପ୍ରାଚ୍ୟ ଆକାଶରେ ବାରମ୍ବାର ଜିପିଏସ୍ ସିଗ୍ନାଲ ଗାଏବ ହେବା ଏବେ ଏୟାରଲାଇନ୍ସ ପାଇଁ ଚିନ୍ତାର କାରଣ ହୋଇଛି। ବିମାନ ଚଳାଚଳକୁ ସୁରକ୍ଷିତ ରଖିବା ପାଇଁ ଏକ ସୁରକ୍ଷା ନେଟ୍ୱର୍କ ପରିଚାଳନା କରିବାକୁ ଡିଜିସିଏ ଗୁରୁତ୍ବାରୋପ କରିଛି। ଗତ ସେପ୍ଟେମ୍ବର ମାସରେ ଇରାନ୍ ଆକାଶରେ ପରିବହନ ବିମାନଗୁଡ଼ିକରେ ଏଭଳି ସମସ୍ୟା ଦେଖାଦେଇଥିଲା ଏବଂ କେତେକ ବିମାନ ବାଟବଣା ହୋଇ ଇରାନ୍ର ବାୟୁସୀମା ଭିତରକୁ ଚାଲିଯାଇଥିଲା। ବୈଦ୍ୟୁତିକ ବ୍ୟବସ୍ଥା ଦ୍ବାରା ସିଗ୍ନାଲ ଜାମ୍ କରାଯାଉଛି ଏବଂ ଭୁଲ୍ ସିଗ୍ନାଲ ମଧ୍ୟ ଦିଆଯାଉଥିବାରୁ ଏହାର ନିରାକରଣ ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପ୍ରୟାସ ଆରମ୍ଭ ହୋଇଛି।