ପୁଣି ବଦଳିଲେ ପୁଲିସ୍ ଡିଜି : ପଞ୍ଜାବରେ ଚାଲିଛି କ’ଣ? ୧୦୦ ଦିନ ଭିତରେ ଆସିଲେଣି ୩ ପୁଲିସ ମୁଖ୍ୟ

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି। ପଞ୍ଜାବ ସରକାର ଡିଜିପି ପଦବୀରେ ଆଇପିଏସ୍ ଅଧିକାରୀ ଭି.କେ ଭଓରାଙ୍କୁ ରାଜ୍ୟର ନୂତନ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ କରିଛନ୍ତି। କୁହାଯାଉଛି ଯେ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ତ୍ରୁଟି ପରେ ଚଟ୍ଟୋପାଧ୍ୟାୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଆଲୋଚନାର ବିଷୟ ହେଲା, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପ୍ରାୟ ୧୦୦ ଦିନର ଶାସନକାଳରେ ଜଣକ ପରେ ଜଣେ ୩ ଜଣଙ୍କୁ ଡିଜିପି ଭାବେ ଅବସ୍ଥାପିତ କରାଗଲାଣି।

ଚନ୍ନି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ ଆଦେଶରେ କୁହାଯାଇଛି ଯେ ଭିରେଶ କୁମାର ଭଓରାଙ୍କ କାର୍ଯ୍ୟକାଳ ଅତି କମରେ ଦୁଇ ବର୍ଷ ପାଇଁ ହେବ। ଏହାପୂର୍ବରୁ ଲୋକସେବା ଆୟୋଗ ପୂର୍ବତନ ଡିଜିପି ଦିନକର ଗୁପ୍ତା, ଭିରେଶ କୁମାର ଭଓରା ଏବଂ ପ୍ରବୋଧ କୁମାରଙ୍କ ସମେତ ତିନୋଟି ନାମର ଏକ ପ୍ୟାନେଲ ଡିଜିପି ପଦବୀ ପାଇଁ ରାଜ୍ୟ ସରକାରଙ୍କୁ ପଠାଇଥିଲେ।ଆଉ ଚନ୍ନି ସରକାର ଆଜି ଭି.କେ ଭଓରାଙ୍କୁ ରାଜ୍ୟର ନୂତନ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ କରିଛନ୍ତି |

ସୂଚନା ଥାଉ କି ଗତ ବୁଧବାର ପଞ୍ଜାବର ଫିରୋଜପୁରରେ ଏକ ରାଲିକୁ ସମ୍ବୋଧନ କରିବାକୁ ଯିବା ସମୟରେ ହୁସୈନିୱାଲା ପୂର୍ବରୁ ଏକ ଫ୍ଲାଏ ଓଭରବ୍ରିଜ୍ ଉପରେ ପାଖାପାଖି ୨୦ ମିନିଟ୍ ଧରି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକି ଯାଇଥିଲା । କୃଷକଙ୍କ ପ୍ରଦର୍ଶନ କାରଣରୁ ଆଗକୁ ଯାଇପାରି ନଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ଏ ସଂପର୍କରେ ପୁଲିସ ପକ୍ଷରୁ କୌଣସି ସତର୍କ ସୂଚନା ମଧ୍ୟ ଦିଆଯାଇ ନଥିଲା।  ଆଉ ଅଧା ରାସ୍ତାରୁ ପୁଣି ଭଟିଣ୍ଡା ଏୟାରପୋର୍ଟ ଫେରିଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏଭଳି ତ୍ରୁଟିକୁ  ନେଇ ଦେଶର ବିଭିନ୍ନ ସ୍ଥାନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା |

ସମ୍ବନ୍ଧିତ ଖବର