ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ରହଣି କାର୍ଯ୍ୟକ୍ରମ ରହିଛି। ଯଦିଓ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ, ତେବେ ଆପାତତଃ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର୍ରେ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ଚାଲିଛି। କନ୍ଭଏ ପାଟ୍ରୋଲିଂ ଲାଗୁ କରିବା ସହ ରାତ୍ରିକାଳୀନ ପାଟ୍ରୋଲିଂ, ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି।
ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ଓ ଡିସିପି ପିନାକ ମିଶ୍ର ପାଟ୍ରୋଲିଂରେ ସାମିଲ୍ ହୋଇ ସହରର ଗଳିକନ୍ଦି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସେହିପରି ହୋଟେଲ୍, ରେଳଷ୍ଟେସନ, ବିମାନବନ୍ଦର ଓ ବସ୍ଷ୍ଟାଣ୍ଡ ଆଦି ଉପରେ ନଜର ରଖାଯାଇଛି। ସରାଇ ଆପ୍ରେ ପ୍ରତିଦିନ ଗ୍ରାହକଙ୍କ ତଥ୍ୟ ଅପ୍ଡେଟ୍ କରିବାକୁ ପୁଲିସ ପକ୍ଷରୁ ହୋଟେଲଗୁଡ଼ିକୁ କୁହାଯାଇଛି। ଏଥି ସହ ଅପରାଧୀଙ୍କୁ ସାବାଡ଼ ପାଇଁ ଏନ୍ବିଡବ୍ଲ୍ୟୁ, ପେସାଦାର ଓ ଦାଗୀ ଅପରାଧୀଙ୍କ ତାଲିକା କାରାଯାଇଛି। କିଛି କୁଖ୍ୟାତ ଅପରାଧୀଙ୍କୁ ତଡ଼ିପାର୍ ପାଇଁ ମଧ୍ୟ ଯୋଜନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/n1I6X00uzxIgdyYDarKF.jpg)