ଗାଜିପୁର: ମଧ୍ୟପ୍ରଦେଶ ଇନ୍ଦୋରରେ ରାଜା ରଘୁବଂଶୀ ହତ୍ୟା ମାମଲା ଏକ ନୂତନ ମୋଡ଼ ନେଇଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଗାଜିପୁରର ନନ୍ଦଗଞ୍ଜ ଅଞ୍ଚଳର ଏକ ଢାବାରୁ ଗିରଫ କରାଯାଇଛି। 

Advertisment

ସୋନମ ରଘୁବଂଶୀଙ୍କ ଗିରଫଦାରୀରେ ନନ୍ଦଗଞ୍ଜ ଢାବା ମାଲିକଙ୍କର ମଧ୍ୟ ଏକ ବଡ଼ ଅବଦାନ ଥିବା ଜଣାପଡ଼ିଛି। କା୍ରଣ ଢାବା ମାଲିକ ସାହିଲ ଯାଦବ ସୋନମଙ୍କ ବିଷୟରେ ବିସ୍ତୃତ ଭାବେ  ସୂଚନା ଦେଇଥିଲେ। 

ଢାବା ମାଲିକ ସାହିଲ ଯାଦବ କହିଛନ୍ତି, ‘ ଗତ ରବିବାର ରାତି ପ୍ରାୟ ୧ଟା ସମୟରେ ସୋନମ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ଆସି ଢାବାରେ ପହଞ୍ଚିଥିଲେ। ଆଉ ସେ ତାଙ୍କ ଘରକୁ ଫୋନ୍ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ମୁଁ ତାଙ୍କ ଅବସ୍ଥା ଦେଖି ମୋବାଇଲ୍ ଦେଇ ଦେଇଥିଲି। ପରିବାରଲୋକଙ୍କ ସହ କଥା ହେବା ସମୟରେ ସୋନମ ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ଏହାପରେ ମୁଁ ତାଙ୍କ ପରିବାର ସହିତ କଥା ହୋଇ ସୋନମ କେଉଁଠି ଅଛନ୍ତି ସେ ବିଷୟରେ ଜଣାଇଥିଲି। 

କିଛି ସମୟ ପରେ ତାଙ୍କ ଭାଇ ମୋତେ ଫୋନ୍ କରି ସ୍ଥାନୀୟ ପୁଲିସକୁ ଜଣାଇବାକୁ କହିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ବୁଝି ମୁଁ ତୁରନ୍ତ ପୁଲିସକୁ ଏ ଘଟଣା ବିଷୟରେ ସୂଚନା ଦେଇଥିଲି।

ସୋନମଙ୍କୁ ଢ଼ାବା ପଛରେ ବସିବାକୁ କହିଥିଲି। ଏହାପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ସୋନମଙ୍କୁ ପଚରାଉଚରା କରିଥିଲା। ସେ ସମୟରେ ସୋନମ ନିଜର ପରିଚୟ ପୁଲିସ ସାମ୍ନାରେ ଦେବା ପରେ ଘଟଣାସ୍ଥଳରେ ଥିବା ସମସ୍ତ ସଦସ୍ୟ ଚକିତ ହୋଇଯାଇଥିଲେ। ସୋନମଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ଜାଣିବା ପରେ ପୁଲିସ ଦଳ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ।