ଢାକା: ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ସୁପ୍ରିମ୍କୋର୍ଟର ଓକିଲ ମହମ୍ମଦ ମୋନିର ଉଦ୍ଦିନ ଇସ୍କନର କାର୍ଯ୍ୟକଳାପ ସମ୍ପର୍କରେ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଦାଖଲ କରି ଛଟ୍ଟଗ୍ରାମ, ରଙ୍ଗପୁର ଓ ଦିନାଜପୁରରେ ୧୪୪ ଧାରା ଲାଗୁ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ଏବଂ ଇସ୍କନକୁ ନିଷିଦ୍ଧ କରିବାକୁ ଦାବି କରିଥିଲେ। ଆବେଦନର ଶୁଣାଣି କରି ଅଦାଲତ ଆଟର୍ଣ୍ଣି ଜେନେରାଲଙ୍କୁ ଇସ୍କନ ଉପରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ରିପୋର୍ଟ ଦେବାକୁ କହିଥିଲେ। ଆଇନଜୀବୀ ସୈଫୁଲ ଇସଲାମ ଅଲିଫଙ୍କ ହତ୍ୟା ଓ ଇସ୍କନର କାର୍ଯ୍ୟକଳାପକୁ ନେଇ ୩ଟି ମାମଲା ରୁଜୁ ହୋଇଥିବା ବେଳେ ୩୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ଗୁରୁବାର ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି। ଆଇନଶୃଙ୍ଖଳା ସୁନିଶ୍ଚିତ କରିବା ଏବଂ ବାଂଲାଦେଶର ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସରକାର ଗୁରୁତ୍ୱାରୋପ କରିଛନ୍ତି ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଦେଶରେ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନସସ୍ନେସ୍ (ଇସ୍କନ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ନୂଆ ପିଟିସନ୍ ଦାଖଲ କରାଯାଇଥିଲା।
ଇସ୍କନ ବାଂଲାଦେଶର ପୂର୍ବତନ ପୂଜକ ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯିବାକୁ ନେଇ ଦେଶରେ ବିରୋଧ ଓ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟ ଇସ୍କନକୁ ନିଷିଦ୍ଧ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶଦ୍ରୋହ ମାମଲାରେ ସୋମବାର ଗିରଫ ହୋଇଥିବା ଦାସଙ୍କୁ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ଢାକା, ଚଟ୍ଟଗ୍ରାମ ସମେତ ବିଭିନ୍ନ ସହରରେ ସମ୍ପ୍ରଦାୟର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/29/wB641CP6jELBYbaaBeLr.jpg)