ଧାମନଗର ଉପନିର୍ବାଚନ: ନିର୍ବାଚନ କମିସନଙ୍କୁ ଭେଟିଲା ବିଜେଡି

ବିଜେପି ବିରୋଧରେ ସ୍ମାରକ ପତ୍ର ଦେଲେ ସାଂସଦ

ନୂଆଦିଲ୍ଲୀ : ଧାମନଗର ବିଧାନସଭା ଉପନିର୍ବାଚନରେ ଚାଲିଛି ହାଇ ଡ୍ରାମା। ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଜୋରଦାର୍‌ ଆରୋପ ଓ ପ୍ରତ୍ୟାରୋପ ଚଳାଇଛନ୍ତି। ବିଜେଡି ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପିର ତିନିଜଣିଆ ପ୍ରତିନିଧି ମଣ୍ଡଳୀ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଫେରାଦ ହୋଇଥିଲେ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବି ବିବାଦକୁ ଟାଣିଥିଲେ। ଏହାର ୨୪ଘଣ୍ଟା ପରେ ଗୁରୁବାର ଦିନ ବିଜେଡି ଜବାବୀ ପଦକ୍ଷେପ ନେଇଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ବିଜେଡିର ଚାରି ଜଣିଆ ପ୍ରତିନିଧିମଣ୍ଡଳୀ ଆୟୋଗଙ୍କ ନିକଟରେ ବିଜେପି ବିରୋଧରେ ଫେରାଦ କରିଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ ଧାମନଗର ଉପନିର୍ବାଚନରେ ବିଜେପିର ଅନୈତିକ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତିନି ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରି ଦଳ ଅଭିଯୋଗ କରିଛି ଯେ ବିଜେପି ଏସ୍‌ଏଚ୍‌ଜି ମହିଳାଙ୍କୁ ଅପମାନିତ କରିଛି। ଉଦ୍ଦେ‌ଶ୍ୟ ପ୍ରଣୋଦିତ ଭାବେ ମିସନ ଶକ୍ତି ମହିଳା ଏସ୍‌ଏଚ୍‌ଜିଙ୍କ ଭାବମୂର୍ତ୍ତି ଖରାପ କରିବା ଓ ବଦନାମ କରିବା ପାଇଁ ଚେଷ୍ଟା କରୁଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ। ଏହି ଦଳ ଏସ୍‌ଏଚ୍‌ଜି ମହିଳାଙ୍କ ମିଛ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛି। ଏହାଦ୍ବାରା ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳା ଅପମାନିତ ହୋଇଛନ୍ତି। ମିଛ ଭିଡିଓ ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ବିଜେଡି ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଛି।

ବିଜେଡିର ଅଭିଯୋଗରେ ଆହୁରି କହିଛି ଯେ ଧାମନଗର ଉପନିର୍ବାଚନକୁ ବିଜେପି ନେତା ଓ କର୍ମୀମାନେ ଅନୈତିକ ଉପାୟରେ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଛନ୍ତି। ପ୍ରଚୁର କଳା ଟଙ୍କା ବ୍ୟବହାର କରି ବିଜେପି ଭୋଟରଙ୍କୁ ପ୍ରଭାବିତ କରୁଛି। ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ ସହ ଅତୀତର ଅନେକ ନିର୍ବାଚନ ବେଳେ ବହୁ ପରିମାଣର ନଗଦ ଅର୍ଥ ବିଜେପି ନେତାମାନଙ୍କ ପାଖରୁ ଜବତ କରାଯାଇଥିଲା। ଧାମନଗର ଉପନିର୍ବାଚନରେ ବିଜେପି ସ୍ଥାନୀୟ ପ୍ରଶାସନ ବିରୋଧରେ ଅଯଥା ମିଛ ଅଭିଯୋଗ ଆଣି ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି। ଏହା ଆଦର୍ଶ ନିର୍ବାଚନ ବିଧିର ଉଲ୍ଲଂଘନ ବୋଲି ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛନ୍ତି। ବିଜେଡି ପକ୍ଷରୁ ସାଂସଦ ଶ୍ରୀ ପାତ୍ରଙ୍କ ବ୍ୟତୀତ ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ମୁନ୍ନା ଖାନ୍‌ ଆୟୋଗଙ୍କୁ ଭେଟିଥିଲେ। ନିର୍ବାଚନ ପର୍ଯ୍ୟବେକ୍ଷକ ଓ ସିଇଓଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ପାଇଁ ଆୟୋଗ ପ୍ରତିଶ୍ରୁତି ଦେଇଥିବା ସାଂସଦ ଶ୍ରୀ ପାତ୍ର ପରେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର