ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ବିଡ଼ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ସହଯୋଗୀ ୱାଲମିକ କରଡ଼ଙ୍କ ସମ୍ପୃକ୍ତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ମାଗିବା ପରେ ସେ ଆଜି ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ ଫଡ଼ନାବିସ ବିଧାନଭବନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଧନଞ୍ଜୟ ମୁଣ୍ଡେ ଆଜି ତାଙ୍କ ଇସ୍ତଫା ଦେଇଛନ୍ତି ଏବଂ ମୁଁ ଏହାକୁ ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛି। ମନ୍ତ୍ରୀ ଭାବେ ଇସ୍ତଫା ଦେବାପରେ ଏନ୍‌ସିପି ନେତା ମୁଣ୍ଡେ ଏକ ଟ୍ବିଟ୍‌ କରି କହିଛନ୍ତି, ବିଡ଼ ଜିଲ୍ଲାର ମାସାଯୋଗରେ ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ଅଭିଯୁକ୍ତକୁ କଠୋର ଦଣ୍ଡ ମିଳୁ ବୋଲି ପ୍ରଥମରୁ ଦାବି ହୋଇଥିଲା।

ବିଡ଼ ସରପଞ୍ଚ ହତ୍ୟା ମାମଲାରେ ସହଯୋଗୀଙ୍କ ସମ୍ପୃକ୍ତି ଅଡ଼ୁଆରେ ପକାଇଲା

Advertisment

 ହତ୍ୟା ମାମଲାରେ ସାମ୍ନାକୁ ଆସିଥିବା ଫଟୋ ଖୁବ୍‌ ଯନ୍ତ୍ରଣା ଦେଇଛି। ଏହି ମାମଲାର ତଦନ୍ତ ଶେଷ ହୋଇଛି ଏବଂ ଚାର୍ଜସିଟ୍‌ ମଧ୍ୟ କୋର୍ଟରେ ଦାଖଲ ହୋଇଛି। ଅତିରିକ୍ତ ଭାବେ ଏକ ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ତେବେ ଗତ କିଛି ଦିନ ଧରି ମୋ ସ୍ବାସ୍ଥ୍ୟ ଭଲ ନଥିବାରୁ ଡାକ୍ତରମାନେ ମତେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ତେଣୁ ଏଥିପାଇଁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ବୋଲି ମୁଣ୍ଡେ କହିଛନ୍ତି। ଇତିମଧ୍ୟରେ ମୁଣ୍ଡେଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖି ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକ୍‌ରେ କହିଛନ୍ତି, ମନ୍ତ୍ରୀ ପଦରୁ ଇସ୍ତଫା ବର୍ତ୍ତମାନ ଚାଲିଥିବା ସଙ୍କଟର ସମାଧାନ କରିବ ନାହିଁ। ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ ପୂରା ସରକାର ଭାଙ୍ଗି ଦେବାପାଇଁ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ବୋଲି ସେ କହିଛନ୍ତି। ଚଳିତ ସପ୍ତାହରେ ସରପଞ୍ଚ ହତ୍ୟା ମାମଲାରେ ଜାରି ହୋଇଥିବା ଫଟୋ ଏବଂ ଚାର୍ଜସିଟ୍‌ରୁ ବର୍ବରତା ସଂକ୍ରାନ୍ତରେ ଜଣା ପଡ଼ିବାପରେ ବିରୋଧୀ ଦଳମାନେ ମୁଣ୍ଡେଙ୍କ ଇସ୍ତଫା ଦାବି କରିଥିଲେ। ଗତରାତିରେ ମଧ୍ୟ ଏହି ପ୍ରସଙ୍ଗରେ  ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ମଧ୍ୟରେ ଏକ ରୁଦ୍ଧଦ୍ବାର ବୈଠକ ହୋଇଥିଲା।