ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୮୦ ଘଣ୍ଟା ନ ପୁରୁଣୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ । ତେବେ ରାତାରାତି ଫଡନବିସ ସରକାର ଗଠନ ପଛର ମୁଖ୍ୟ ପୁରୋଧା ଥିଲେ ଏନସିପି ନେତା ଧନଞ୍ଜୟ ମୁଣ୍ଡେ । ଅଜିତ ପାୱାରଙ୍କ ସମର୍ଥନପତ୍ର ସାହାଯ୍ୟରେ ଦେବେନ୍ଦ୍ର ଫଡନବିସ ସରକାର ଗଢିଥିଲେ ସତ କିନ୍ତୁ ପରଦା ପଛର ନାୟକ ସାଜିଥିଲେ ଧନଞ୍ଜୟ ମୁଣ୍ଡେ। ଯିଏ ଅଜିତଙ୍କ ପାଇଁ ଏନସିପିର ବିଧାୟକଙ୍କୁ ଏକାଠି କରିଥିଲେ । ୨୪ ଘଣ୍ଟାର ଏହି ଖେଳ ଭିତରେ ଧନଞ୍ଜୟ ପଟ୍ଟ ପରିବର୍ତ୍ତନ କରିବା କ୍ଷଣି ପୁଣିଥରେ ମୋଡ ବଦଳାଇଥିଲା ମହାରାଷ୍ଟ୍ର ରାଜନୀତି । ଅଜିତଙ୍କ ଶିବିରରୁ ଶରଦ ଶିବିରକୁ ଧନଞ୍ଜୟ ଫେରିବା କ୍ଷଣି ଫଡନବିସ ସରକାର ଉପରେ ମହାସଙ୍କଟ ମାଡ଼ି ଆସିଥିଲା ।
ଚର୍ଚ୍ଚା ଅନୁଯାୟୀ, ଧନଞ୍ଜୟ ମୁଣ୍ଡେ ସେହି ବିଧାୟକ ଯିଏ ଶପଥଗ୍ରହଣ ଉତ୍ସବ ପୂର୍ବରୁ ଏନସିପିର ବିଧାୟକଙ୍କୁ ଏକଜୁଟ କରିଥିଲେ ଓ ନିଜ ଘରକୁ ଡାକିଥିଲେ । ଆଉ ସେଠାରୁ ସିଧାସଳଖ ପହଞ୍ଚିଥିଲେ ରାଜଭବନରେ । ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ମୃତ୍ୟୁ ପରେ ଝିଅ ପଙ୍କଜା ମୁଣ୍ଡେଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ ପୁତୁରା ଧନଞ୍ଜୟ ମୁଣ୍ଡେ ଏନସିପିରେ ଯୋଗ ଦେଇଥିଲେ । ଆଉ ଧନଞ୍ଜୟଙ୍କୁ ଏନସିପିକୁ ଆଣିବା ଓ ଭଉଣୀ ପଙ୍କଜାଙ୍କ ବିରୋଧରେ ପ୍ରାର୍ଥୀ କରି ବିଜୟୀ କରାଇବା ପଛରେ ଅଜିତଙ୍କର ବଡ଼ ଭୂମିକା ରହିଥିଲା ।
ମହାରାଷ୍ଟ୍ର ନିର୍ବାଚନରେ ଯେତେବେଳେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା ଏବଂ ଶିବସେନା ବିଜେପିର ହାତ ଛାଡି ସାରିଥିଲା, ସେତେବେଳେ ଧନଞ୍ଜୟ ନୂଆ ସମୀକରଣ ଧରି ଅଜିତଙ୍କ ପାଖକୁ ଆସିଥିଲେ । ଶୁକ୍ରବାର ଦେବେନ୍ଦ୍ରଙ୍କ ସହ ଗୁପ୍ତ ଆଲୋଚନା ପରେ ବିଜେପି ସହ ମିଶି ସରକାର ଗଠନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ଆଉ ଏଥିରେ ଅଜିତଙ୍କୁ ସାମ୍ନାକୁ ଆଣି ପରଦା ପଛରେ ରହିଥିଲେ ଧନଞ୍ଜୟ । କିନ୍ତୁ ଏନସିପିର ଅଧିକାଂଶ ବିଧାୟକଙ୍କୁ ଯେତେବେଳେ ଶପଥଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଲା ନାହିଁ ସେତେବେଳେ ପୁଣି ଏନସିପି ଶିବିରକୁ ଫେରି ଆସିଲେ ଧନଞ୍ଜୟ । ଏହାସହ ବିଜେପିକୁ ଲାଗିଥିଲା ବଡ଼ ଝଟକା । ଆଉ ସରକାର ଗଢିବାର ୮୦ ଘଣ୍ଟା ମଧ୍ୟରେ ପୁଣିଥରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଦେବେନ୍ଦ୍ର ଫଡନବିସ ।