ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ନଡ୍ଡା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ବିଜେପି ନେତୃତ୍ବାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନଡିଏ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କ ନାମ ଘୋଷଣା କରିଛନ୍ତି ।

ଗତ ଶୁକ୍ରବାରଦିନ ଧନକର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ତାଙ୍କୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅହି-ନକୁଳ ସମ୍ପର୍କ ପାଇଁ ସେ ଜଣାଶୁଣା । ତେବେ ଗତ ବୁଧବାର ଦିନ ମମତା ବାନାର୍ଜୀ ରାଜ୍ୟପାଳ ଧନକରଙ୍କୁ ଭେଟିଥିଲେ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ଓ ଏହି ଅବସରରେ ରାଜନୀତି ସମ୍ପର୍କରେ ଅଥବା ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିଲା ବୋଲି ମମତା କହିଥିଲେ ।

ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିବା ଧନକର ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ ।

ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏନଡିଏ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଚଳିତ ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।

 

ସମ୍ବନ୍ଧିତ ଖବର