ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫାକୁ ନେଇ ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ନିୟମିତ କାର୍ଯ୍ୟ ଦିବସ ପରେ ୭୪ ବର୍ଷୀୟ ଧନଖଡ଼ ସୋମବାର ଆଶ୍ଚର୍ଯ୍ୟଜନକ ଭାବେ ଇସ୍ତଫା ଦେଇଥିଲେ। ବିରୋଧୀ ଦଳ ସଦସ୍ୟମାନେ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ବିଜେପିକୁ ସ୍ପଷ୍ଟୀକରଣ ମାଗିଛନ୍ତି। ଇସ୍ତଫା ପଛର କାରଣ ନେଇ ନାନା କଳ୍ପନାଜଳ୍ପନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏକ ସଂକ୍ଷିପ୍ତ ବିଦାୟ ବାର୍ତ୍ତା ଦେଇଛନ୍ତି। ଶ୍ରୀ ଧନଖଡ଼ଙ୍କୁ ଭାରତର ଉପରାଷ୍ଟ୍ରପତି ସମେତ ବିଭିନ୍ନ ପଦପଦବିରେ ଦେଶସେବା କରିବାର ଅନେକ ସୁଯୋଗ ମିଳିଛି। ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଲେ, ଭାରତର ସେବା କରିବା ପାଇଁ ଧନଖଡ଼ଙ୍କୁ ଅନେକ ସୁଯୋଗ ମିଳିଛି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଡାକ୍ତରୀ ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ପାଇଁ ସେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଧନଖଡ଼ ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି, ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଳନ କରିବା ପାଇଁ ମୁଁ ସମ୍ବିଧାନର ଧାରା ୬୭(ଏ) ଅନୁଯାୟୀ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କ ଇସ୍ତଫାକୁ ଗ୍ରହଣ କରି ଏହାକୁ ସରକାରୀ ବିଜ୍ଞପ୍ତି ପାଇଁ ଗୃହ ମନ୍ତ୍ରଣାଳୟକୁ ପଠାଇଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଗୃହ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ଧନଖଡ଼ଙ୍କ ଇସ୍ତଫା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ଧନଖଡ଼ ଅଗଷ୍ଟ ୨୦୨୨ରେ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ସେ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ପାଞ୍ଚବର୍ଷ ପାଇଁ କାର୍ଯ୍ୟକାଳ ସମ୍ଭାଳିବେ ବୋଲି ଆଶା କରାଯାଉଥିଲା। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଙ୍ଗଳବାର ସକାଳ ଅଧିବେଶନରେ ଜଗଦୀପ ଧନଖଡ଼ଙ୍କ ଅନୁପସ୍ଥିତିରେ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ଧନଖଡ଼ ରାଜ୍ୟସଭାରେ ଅନୁପସ୍ଥିତ ଥିବାରୁ ବିଦାୟୀ ଭାଷଣ ବି ଦେଇ ପାରି ନ ଥିଲେ।
ଇସ୍ତଫାକୁ ନେଇ ତେଜିଲା ବିବାଦ
ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ବିରୋଧୀଙ୍କୁ ଚକିତ କରିବା ସହ ତୀବ୍ର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ତାଙ୍କ ଇସ୍ତଫା ପଛର କାରଣକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ ଧନଖଡ଼ ବରିଷ୍ଠ ନେତାମାନଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଇସ୍ତଫା ଦେବାର ଯୋଜନା ଦେଖାଯାଉ ନ ଥିଲା। ଉପରାଷ୍ଟ୍ରପତିଙ୍କ ଇସ୍ତଫା ପଛର କାରଣ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାଠାରୁ ଅଧିକ ଗଭୀର ବୋଲି କଂଗ୍ରେସ ମଙ୍ଗଳବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି। ଇସ୍ତଫା ପଛରେ ଅନ୍ୟ କିଛି କାରଣ ରହିଛି ବୋଲି କଂଗ୍ରେସର ଯୋଗାଯୋଗ ପ୍ରଭାରୀ ଜୟରାମ ରମେଶ କହିଛନ୍ତି। କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନଖଡ଼ଙ୍କୁ ତାଙ୍କ ମନ ବଦଳାଇବାକୁ ରାଜି କରାଇବାକୁ ଅନୁରୋଧ କରିଛି। ସମାଜବାଦୀ ପାର୍ଟି ସାଂସଦ ଅବଧେଶ ପ୍ରସାଦ କହିଛନ୍ତି ଯେ ଉପରାଷ୍ଟ୍ରପତିଙ୍କ ଇସ୍ତଫାରେ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ହଠାତ୍ ରାତିରେ ଆମେ ଜାଣିବାକୁ ପାଇଲୁ ଯେ ସ୍ୱାସ୍ଥ୍ୟଗତ କାରଣରୁ ଉପରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି। ଗତକାଲି ସେ ଗୃହରେ ଥିଲେ। ମୁଁ ବହୁତ ଆଶ୍ଚର୍ଯ୍ୟ। ମୁଁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ଧନଖଡ଼ ସମ୍ବିଧାନର ଜଣେ ବୀର ରକ୍ଷକ ଥିଲେ ବୋଲି ପ୍ରସାଦ କହିଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ସାଂସଦ ପି ସନ୍ତୋଷ କୁମାର କହିଛନ୍ତି ଯେ ଧନଖଡ଼ଙ୍କ ଏହି ଅଦ୍ଭୂତପୂର୍ବ ପଦକ୍ଷେପ ପଛର କାରଣ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ହିଁ ବୁଝାଇ ପାରିବେ। ଗୋଟିଏ କଥା ନିଶ୍ଚିତ ଯେ ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇନାହାନ୍ତି। ଗୃହ ଚଳାଇବାପାଇଁ ସେ ଖୁବ୍ ଉତ୍ସାହିତ ଥିଲେ। ଆହୁରି ଅନେକ କାରଣ ଥାଇପାରେ ବୋଲି କୁମାର କହିଛନ୍ତି।
ବିଜେଡି ଉପରେ ଆଖି: ନିଷ୍ପତ୍ତି ଉପରେ ଦଳର ଭାବମୂର୍ତ୍ତି ନିର୍ଭର କରୁଛି, ୱକଫ୍ ବିଲ୍ ବେଳେ ବିବାଦୀୟ ଥିଲା ଦଳ
ଭୁବନେଶ୍ବର: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗତକାଲି ଅଚାନକ ଇସ୍ତଫା ଦେଇଛନ୍ତି। ଏହି ଘଟଣା ଜାତୀୟ ରାଜନୀତିରେ ଯେତିକି ହଟଚମଟ ସୃଷ୍ଟି କରିଛି, ସେତିକି ରହସ୍ୟଜନକ ହୋଇପଡ଼ିଛି। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଆକଳନ ଚାଲିଥିଲା ବେଳେ ଓଡ଼ିଶା ରାଜନୀତିରେ ଆଉ ଏକ କାରଣ ପାଇଁ ଆଲୋଡ଼ନ ସୃଷ୍ଟି ହେଲାଣି। ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କି ଭୂମିକା ନେବ, ତାହା ଉପରେ ଏବେ ରାଜନୈତିକ ମହଲର ନଜର। ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ବିବାଦୀୟ ଆଭିମୁଖ୍ୟ ଦଳକୁ ଅଡ଼ୁଆରେ ପକାଇଦେଇଥିଲା। ସେହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ହେବ, ତାହା ଉପରେ ଦଳର ଭବିଷ୍ୟତ ଅନେକାଂଶରେ ନିର୍ଭର କରୁଛି।
ବିଜେଡି ସବୁବେଳେ ସମଦୂରତ୍ବ କଥା କହୁଥିଲେ ବି ଅନେକ ପ୍ରସଙ୍ଗରେ ବିଜେପି ନେତୃତ୍ବାଧୀନ ଏନ୍ଡିଏକୁ ଦଳ ସମର୍ଥନ କରୁଥିବାର ନଜିର ରହିଛି। ଏଥି ପାଇଁ ବିଜେଡି ଅନେକ ସମୟରେ ସମାଲୋଚିତ ହୋଇଛି। ରାଜ୍ୟରେ କ୍ଷମତାରେ ଥିବାବେଳେ ଏହି ସମାଲୋଚନାକୁ ଦଳର ରଣନୀତିକାରମାନେ ଗୁରୁତ୍ବ ଦେଉନଥିଲେ। କିନ୍ତୁ ୨୦୨୪ରେ ବିଜେଡି କ୍ଷମତାଚ୍ୟୁତ ହେଲା ପରେ ଚିତ୍ର ବଦଳିଯାଇଛି। ଲୋକସଭାରେ ଆଦୌ ପ୍ରତିନିଧିତ୍ବ ନଥିବାରୁ ଜାତୀୟ ସ୍ତରରେ ବିଜେଡିର ପ୍ରାସଙ୍ଗିକତା କମିଯାଇଛି। କିନ୍ତୁ ରାଜ୍ୟସଭାରେ ଏବେ ବି ଦଳର ସାତ ଜଣ ସାଂସଦ ଅଛନ୍ତି। ତେଣୁ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହୁଛି। ନିକଟରେ ୱକଫ୍ ବିଲ୍ ପ୍ରସଙ୍ଗରେ ଦଳର ଅସହାୟତା ଜଳଜଳ ଧରାପଡ଼ିଗଲା। ଆରମ୍ଭରୁ ୱକଫ୍ ବିଲ୍କୁ ବିଜେଡି ବିରୋଧ କରିବ ବୋଲି ବାରମ୍ବାର କୁହାଯାଉଥିଲା। ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହା କହିଥିଲେ। କିନ୍ତୁ ଶେଷ ମୂହୁର୍ତ୍ତରେ ସବୁ ଓଲଟପାଲଟ ହୋଇଗଲା। ସାଂସଦଙ୍କ ବିବେକ ଉପରେ ଭୋଟିଂକୁ ଛାଡ଼ିଦିଆଗଲା। ଏହାକୁ ନେଇ ସଂସଦୀୟ ଦଳରେ ଝଡ଼ ସୃଷ୍ଟି ହୋଇଥିଲା। ବିଜେଡିରେ ଆଭ୍ୟନ୍ତରୀଣ ବିବାଦ, ବୟାନବାଜି ବି ଜୋର୍ ହୋଇଥିଲା। ବିବେକ ଉପରେ ଭୋଟିଂକୁ ଛାଡ଼ିବାକୁ କିଏ ଶେଷ ମୁହୂର୍ତ୍ତରେ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଲା, ତାହା ଲୋକଲୋଚନକୁ ଆସିପାରିଲା ନାହିଁ। ତେବେ ସ୍ପଷ୍ଟ ହୋଇଥିଲା ଯେ ବିଜେଡିର ୫ ଜଣ ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ। ମାତ୍ର ଜଣେ ସାଂସଦ ବିପକ୍ଷରେ ଦେଇଥିଲେ ଓ ଆଉ ଜଣେ ଭୋଟ୍ଦାନରୁ ବିରତ ରହିଥିଲେ। କ୍ଷମତାଚ୍ୟୁତ ହେଲା ପରେ ବଡ଼ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଯେ ସହଜ ହେଉନି, ତାହା ଜଣାପଡ଼ିଯାଉଛି। ୱକଫ୍ ବିଲ୍ ବିବାଦକୁ ନେଇ ଚର୍ଚ୍ଚା ଥମିଛି। ଏହାଭିତରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନର ଲୋକସଭା ଓ ରାଜ୍ୟସଭାରେ ସଂଖ୍ୟା ଗଣିତ ଦେଖିଲେ, ଏନ୍ଡିଏ ପ୍ରାର୍ଥୀ ଜିତିବାରେ କୌଣସି ଅସୁବିଧା ନାହିଁ। ବିଜେଡିର ସମର୍ଥନ ସେହି ଦୃଷ୍ଟିରୁ ଅପ୍ରାସଙ୍ଗିକ। ଏହା ସତ୍ତ୍ବେ ଜାତୀୟ ରାଜନୀତିରେ ନିଜ ଉପସ୍ଥିତି ଜାହିର ପାଇଁ ଉପରାଷ୍ଟ୍ରପତି ଉପନିର୍ବାଚନରେ ବିଜେଡିକୁ ଏକ ନିଷ୍ପତ୍ତି ନେବାକୁ ପଡ଼ିବ।
ପ୍ରଥମତଃ ଯଦି ବିଜେଡି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ରାଜ୍ୟରେ ପୁଣି ବିଜେପିର ବି-ଟିମ୍ ଭାବେ ଅପବାଦ ମୁଣ୍ଡାଇବାକୁ ପଡ଼ିବ। ୱକଫ୍ ବିଲ୍ ପ୍ରସଙ୍ଗରେ ଦଳ ଯେପରି ସମାଲୋଚିତ ହୋଇଥିଲା, ତାହା ଆହୁରି ଶକ୍ତିଶାଳୀ ହେବ। ପୁଣି ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ ଏବେ ମୁଖ୍ୟ ବିରୋଧୀ ଦଳ ଭାବେ ଲୋକ ଗଣିବା ଆରମ୍ଭ କଲେଣି। କଂଗ୍ରେସ ଯେଉଁପରି ଭାବେ ସରକାରଙ୍କୁ ଘେରୁଛି, ବିଜେଡି ସେହି ହିସାବରେ ଆଗକୁ ଯାଇପାରୁନି। ବିଧାୟକଙ୍କ ସଂଖ୍ୟା ଓ ସାଂଗଠନିକ ଦୃଷ୍ଟିକୋଣରୁ ଦେଖିଲେ, ବିଜେଡିର ସ୍ଥିତି ରାଜ୍ୟରେ ବେଶ୍ ମଜଭୁତ ଅଛି। କିନ୍ତୁ ଦଳ ନିଜକୁ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଗତ ବର୍ଷକ ଭିତରେ ଉପସ୍ଥାପିତ କରିପାରି ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁଭବ କରୁଛନ୍ତି। ଦ୍ବିତୀୟତଃ ଯଦି ମତଦାନରୁ ବିଜେଡି ବିରତ ରହେ, ତେବେ ଦଳ ଜାତୀୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇପଡ଼ିବାର ଆଶଙ୍କା ରହିଛି। ତୃତୀୟତଃ ଏନ୍ଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ବିରୋଧୀ ଦଳ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଲେ, ଓଡ଼ିଶା ସମେତ ଜାତୀୟ ରାଜନୀତିରେ ନୂଆ ସମୀକରଣର ସମ୍ଭାବନା ରହିଛି। ରାଜ୍ୟରେ ବିଜେଡି ଏକ ଭିନ୍ନ ବିରୋଧୀ ଦଳ ଭାବେ ଉଭା ହୋଇପାରେ। କିନ୍ତୁ ବର୍ତ୍ତମାନର ରାଜନୈତିକ ଚିତ୍ର ଦେଖିଲେ ବିଜେଡି ଏପରି ଏକ ପଦକ୍ଷେପ ନେବାର ସମ୍ଭାବନା କ୍ଷୀଣ। କାରଣ ଏହା ଦ୍ବାରା ଶାସକ ଦଳର କୋପଦୃଷ୍ଟିରେ ବିଜେଡି ରହିବ। ବିଜେଡି ସରକାର ସମୟରେ ହୋଇଥିବା ଅନେକ ନିଷ୍ପତ୍ତିକୁ ବର୍ତ୍ତମାନର ବିଜେପି ସରକାର ସମୀକ୍ଷା କରି ଦଳକୁ ଅଡ଼ୁଆରେ ପକାଇଦେବାର ସମ୍ଭାବନା ରହିଛି। ଏମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ଥିବା ବିଜେଡିର ନିଷ୍ପତ୍ତି ବେଶ୍ ରୋଚକ ହେବାର ସମ୍ଭାବନା ରହିଛି। ଉଭୟ ରାଜ୍ୟ ଓ ଜାତୀୟ ରାଜନୀତି ପାଇଁ ଏହା ବେଶ୍ ଗୁରୁତ୍ବ ବହନ କରୁଛି।