ଜଗଦୀପ ଧନଖଡ଼ ଭାରତର ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ହୋଇଥିବାବେଳେ ସଂଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା ।

ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ୟୁପିଏ ପକ୍ଷରୁ ଛିଡ଼ା ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭା । ନିର୍ବାଚନରେ ଧନଖଡ଼ ୫୨୮ଟି ଭୋଟ ପାଇଥିବାବେଳେ ଆଲଭା ୧୮୨ଟି ଭୋଟ ପାଇଥିଲେ । ୧୫ଟି ଭୋଟ ନାକଚ ହୋଇଯାଇଥିଲା ।

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତଥା ଲୋକସଭା ମହାସଚିବ ଉତ୍ପଳ କୁମାର ସିଂ ନିର୍ବାଚନ ଫଳାଫଳ ଘୋଷଣା କରି ଧନଖଡ଼ଙ୍କୁ ବିଜୟୀ ଘୋଷଣା କରିଥିଲେ ।

ଶନିବାର ହୋଇଥିବା ନିର୍ବାଚନରେ ମୋଟ ୭୮୦ ( ରାଜ୍ୟସଭା ଓ ଲୋକସଭାକୁ ମିଶାଇ) ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ସାଂସଦ  (୯୩ ପ୍ରତିଶତ) ଭୋଟ ଦେଇଥିଲେ । ତୃଣମୂଳ କଂଗ୍ରେସର ମୋଟ ୩୯ ସାଂସଦଙ୍କ ମଧ୍ୟରୁ  ୩୭ ଜଣ ଭୋଟ ଦେଇନଥିଲେ ଓ ୨ ଜଣ ଭୋଟ ଦେଇଥିଲେ । ସେହିପରି ଶିବସେନା ଓ ସମାଜବାଦୀ ପାର୍ଟିର ୨ ଜଣ ଲେଖାଏଁ ସାଂସଦ ଓ ବିଏସପିର ଜଣେ ସାଂସଦ ଭୋଟ ଦେଇନଥିଲେ ।

୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିବା ଧନଖଡ଼ ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିଲେ। ଏହାପରେ ସେ ରାଜନୀତିକୁ ଆସି ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ । ସେ ମଧ୍ୟ ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ୩୦ ଜୁଲାଇ ୨୦୧୯ରୁ ୧୮ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ତାଙ୍କର ବିବାଦ ପାଇଁ ସେ ବେଶ୍ ଜଣାଶୁଣା ଥିଲେ ।

ସମ୍ବନ୍ଧିତ ଖବର