ମୁମ୍ବାଇ: ଏସିଆର ସର୍ବବୃହତ୍ ବସ୍ତି 'ଧାରାବୀ'। ଦିନେ କରୋନା ଭାଇରସ୍ର ହଟ୍ସ୍ପଟ୍ ଥିଲା। କିନ୍ତୁ ଏବେ ଏହା ପ୍ଲାଜ୍ମା ଦାନ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଧାରାବୀ ବସ୍ତିରୁ ୮୫ ପ୍ରତିଶତ କରୋନାରୁ ଆରୋଗ୍ୟ ହୋଇଛନ୍ତି। ତେବେ ଏହି ଆରୋଗ୍ୟ ରୋଗୀଙ୍କ ମଧ୍ୟରୁ ପ୍ଲାଜ୍ମା ଗ୍ରହଣ ପାଇଁ ଏବେ ପୌର ଅଧିକାରୀ ଏବଂ ଡାକ୍ତରମାନେ ଯାଇ ବସ୍ତିରେ ଶିବିର ପକାଇଛନ୍ତି। ଧାରାବୀ ବସ୍ତିର ପ୍ରାୟ ୪୫୦ ସୁସ୍ଥ ରୋଗୀଙ୍କୁ ପ୍ଲାଜ୍ମା ଦାନ ପାଇଁ ଅନୁରୋଧ କରାଯାଇଛି। ସିଅନ୍ ହସ୍ପିଟାଲ୍ ଡାକ୍ତରମାନେ ପ୍ରଥମ ପର୍ଯ୍ୟାୟରେ ୪୯ ଆରୋଗ୍ୟ ରୋଗୀଙ୍କର ସ୍ବାସ୍ଥ୍ୟ ଭଲଭାବେ ଯାଞ୍ଚ କରିଛନ୍ତି ଏବଂ ସେମାନଙ୍କ ରକ୍ତ ନମୁନା ନେଇଛନ୍ତି। ତେବେ ଯେଉଁମାନେ ପ୍ଲାଜ୍ମା ଦେବାପାଇଁ ସକ୍ଷମ ହେବେ ସେମାନଙ୍କୁ ପ୍ଲାଜ୍ମା ଦାନ ପାଇଁ କେଇଏମ୍, ସିଅନ୍ ଏବଂ ନେୟାର ହସ୍ପିଟାଲ୍କୁ ଡକାଯିବ। କେବଳ ଅତି ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାପାଇଁ ପ୍ଲାଜ୍ମା ଥେରାପି ଦିଆଯିବ।
ଧାରାବୀର ଜଣେ ସାମାଜିକ କର୍ମୀ ସତୀଶ କଟ୍କେ ସ୍ବେଚ୍ଛାକୃତ ଭାବେ ପ୍ଲାଜ୍ମା ଦେବାପାଇଁ ଚାହିଛନ୍ତି। ସେ କହିଛନ୍ତି ଯେତେବେଳେ ଧାରାବୀରେ ସଂକ୍ରମଣ ହଠାତ୍ ବଢ଼ିଥିଲା ସେ ସମୟରେ ସେ ଏବଂ ତାଙ୍କ ପତ୍ନୀ ସଂକ୍ରମିତ ହୋଇଥିଲେ। କିଛିଦିନ ପରେ ସେମାନେ ସୁସ୍ଥ ହୋଇଥିଲେ। କିନ୍ତୁ ସେ ସମୟର କଷ୍ଟକୁ ସେ ଅଙ୍ଗେ ନିଭାଇଛନ୍ତି। ସେଥିଲାଗି ସେ ଅନ୍ୟ କାହାକୁ ସହଯୋଗର ହାତ ବଢ଼ାଇବାକୁ ଚାହିଛନ୍ତି। ବିଏମ୍ସି ପକ୍ଷରୁ ପ୍ରଥମେ ୨,୧୨୧ ସୁସ୍ଥ ରୋଗୀଙ୍କ ମଧ୍ୟରୁ ୪୫୦ ଜଣଙ୍କୁ ପ୍ଲାଜ୍ମା ଦାନ ପାଇଁ ଅନୁରୋଧ କରାଯାଇଛି। ଅଞ୍ଚଳରେ ଏଯାବତ୍ ୨,୫୧୩ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୦୦ ମୃତ୍ୟୁ ହୋଇଛି। ଏବେ ସେଠାରେ ୧୪୨ ସକ୍ରିୟ ମାମଲା ରହିଛି। ତେବେ ଧାରାବୀର ଏହି ସୁସ୍ଥ ରୋଗୀମାନେ ପ୍ଲାଜ୍ମା ଥେରାପି କ୍ଷେତ୍ରରେ ଅତ୍ୟନ୍ତ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବେ। ମୁମ୍ବାଇରେ ୧୦ଟି ବ୍ଲଡ୍ ବ୍ୟାଙ୍କ୍କୁ ସୁସ୍ଥ ରୋଗୀଙ୍କ ଠାରୁ ପ୍ଲାଜ୍ମା ସଂଗ୍ରହ ପାଇଁ ଅନୁମତି ମିଳିଛି। କିନ୍ତୁ ବାସ୍ତବରେ ପ୍ଲାଜ୍ମା ଦାତାଙ୍କର ଘୋର୍ ଅଭାବ ଦେଖା ଦେଇଛି। କିଛି ସୁସ୍ଥ ହୋଇଥିବା କରୋନା ରୋଗୀ ଭୟରେ ପ୍ଲାଜ୍ମା ଦେଉନାହାନ୍ତି। ପୁଣି ଆଉ କିଛି ପରିବାର ଲୋକଙ୍କ ଚାପରେ ପ୍ଲାଜ୍ମା ଦେବାପାଇଁ ରାଜି ହେଉନାହାନ୍ତି। ଧାରାବୀରେ ସୁସ୍ଥ ହୋଇଥିବା ପ୍ରାୟ ୭୫ ପ୍ରତିଶତ କରୋନା ରୋଗୀଙ୍କ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ।