ନୂଆଦିଲ୍ଲୀ : ଜି-୨୦ ଆଧିକାରିକ ସ୍ତରୀୟ ଚର୍ଚ୍ଚା ଓ ନୀତି ନିର୍ଦ୍ଧାରଣରେ ଲିଙ୍ଗଗତ ବିଚାରକୁ କିଭଳି ମୁଖ୍ୟସ୍ରୋତରେ ସୁନିଶ୍ଚିତ କରାଯାଇପାରିବ ସେ ନେଇ ଡବ୍ଲ୍ୟୁ (ମହିଳା)-୨୦ରେ ଭାରତ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଡବ୍ଲ୍ୟୁ-୨୦ରେ ଭାରତ ୨୦୨୨ ଡିସେମ୍ବର ୧୨ରେ ଇଣ୍ଡୋନେସିଆଠାରୁ ଅଧ୍ୟକ୍ଷତା ପଦ ଗ୍ରହଣ କରିଛି।

Advertisment

ଏଥିରେ ୧୯ଟି ଦେଶରୁ ଶହେ ସଦସ୍ୟା ରହିଛନ୍ତି। ଡବ୍ଲ୍ୟୁ-୨୦ରେ ଭାରତର ୭ ଜଣ ପ୍ରତିଷ୍ଠିତ ମହିଳା ସାମିଲ ଅଛନ୍ତି। କେନ୍ଦ୍ରୀୟ ସଙ୍ଗୀତ ନାଟକ ଅକାଦେମିର ଅଧ୍ୟକ୍ଷା ସନ୍ଧ୍ୟା ପୁରେଚା ଡବ୍ଲ୍ୟୁ-୨୦ରେ ଅଧ୍ୟକ୍ଷତା କରୁଥିବାବେଳେ ଉଦ୍ୟୋଗୀ ଓ ସମାଜସେବୀ ଧରିତ୍ରୀ ପଟ୍ଟନାୟକ ଏହାର ସଚିବାଳୟ ମୁଖ୍ୟ ସଂଯୋଜିକା ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଆଜି ଠାରୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ଡବ୍ଲ୍ୟୁ-୨୦ ଭାରତର ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି। ଏହା ପରେ ଏପ୍ରିଲ ୧୩ ଓ ୧୪ରେ ରାଜସ୍ଥାନର ଜୟପୁର‌ରେ ଦୁଇଟି ଅନ୍ତର୍ଜାତୀୟ ବୈଠକ ଏବଂ ଜୁନ ୧୬ ଓ ୧୭ରେ ତାମିଲନାଡ଼ୁର ମହାବଳିପୁରମରେ ଡବ୍ଲ୍ୟୁ-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତର ମହିଳା, ଶିଶୁ ଏବଂ ସମାଜର ଉପେକ୍ଷିତ ବର୍ଗର ଲୋକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଧରିତ୍ରୀ ଗତ ୨୫ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି।