ଧର୍ମଗୁରୁ ଶିବକୁମାରଙ୍କ ଦେହାବସାନ:୧୧୧ ବର୍ଷର ଜୀବନ

କର୍ଣ୍ଣାଟକରେ ଆଜି ଛୁଟି : ୩ ଦିନ ରାଷ୍ଟ୍ରୀୟ ଶୋକ

ବେଙ୍ଗାଲୁରୁ: କର୍ଣ୍ଣାଟକର ପ୍ରସିଦ୍ଧ ଧର୍ମଗୁରୁ ତଥା ଲିଙ୍ଗାୟତ ସମ୍ପ୍ରଦାୟର ଗୁରୁ ତଥା ତୁମକୁରସ୍ଥିତ ସିଦ୍ଧଗଂଗା ମଠର ମୁଖ୍ୟ ପଦ୍ମଭୂଷଣ ଶିବକୁମାର ସ୍ବାମୀଜିଙ୍କର ଆଜି ପରଲୋକ ହୋଇଯାଇଛି। କର୍ଣ୍ଣାଟକର ‌ଲୋକମାନେ ଶିବକୁମାରଙ୍କୁ ଚଳନ୍ତି ଭଗବାନ ଭାବେ ବିବେଚନା କରିଥାନ୍ତି। ଆଜି ପୂର୍ବାହ୍ନ ୧୧ଟା ୪୪ରେ ସେ ଇହ ଧାମରୁ ବିଦାୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀ ତାଙ୍କ ମୃତ୍ୟୁ ଖବର ଘୋଷଣା କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୧୧୧ ବର୍ଷ ହୋଇଥିଲା। ଶିବକୁମାରଙ୍କ ମୃତ୍ୟୁରେ ଆସନ୍ତାକାଲି (ମଙ୍ଗଳବାର) ରାଜ୍ୟବ୍ୟାପୀ ଛୁଟି ଘୋଷଣା ହୋଇଛି। ଏଥିସହିତ ତାଙ୍କ ମୃତ୍ୟୁରେ କର୍ଣ୍ଣାଟକ ସରକାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ‌ଘୋଷଣା କରିଛନ୍ତି। ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଶିବକୁମାରଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଶିବକୁମାରଙ୍କ ମୃତ୍ୟୁ ଖବର ପାଇବା ପରେ ମଠ ପରିସରରେ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀ, ବି ଏସ ୟେଦୁରପ୍ପା, ଏମ ବି ପାଟିଲ, କେ ଜେ ଜର୍ଜ ଏବଂ ସଦାନନ୍ଦ ଗୌଡ଼ ପ୍ରମୁଖ ପହଞ୍ଚିଛନ୍ତି। ଡାକ୍ତରଖାନାରେ ତାଙ୍କୁ ଦର୍ଶନ କରିବା ଏବଂ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ଲାଗି ରାଜନେତାଙ୍କ ଭିଡ଼ ଲାଗିଥିଲା। ତାଙ୍କ ମୃତ୍ୟୁରେ କର୍ଣ୍ଣାଟକରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ,ବିଜେପି ସଭାପତି ଅମିତ ଶାହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବାମୀଜିଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ଗତ କିଛିଦିନ ହେଲା ଶିବକୁମାର ଅସୁସ୍ଥ ଥିଲେ। ଫୁସଫୁସ୍ ସଂକ୍ରମଣ ଓ ବାର୍ଦ୍ଧକ୍ୟଜନିତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ସେ ଡାକ୍ତରଖାନରେ ଚିକିତ୍ସିତ ହେଉଥିଲେ। ଗତ ପ୍ରାୟ ୧୫ ଦିନ ହେଲା ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ବା ଭେଣ୍ଟିଲେଟରରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଚେନ୍ନାଇସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସ୍ବାମୀଜିଙ୍କର ପିତ୍ତାଶୟ ଏବଂ ଯକୃତରେ ବାଇପାସ ସର୍ଜରି କରାଯାଇଥିଲା। ଏହାପରେ ତାଙ୍କୁ ବେଙ୍ଗାଲୁରୁ ଅଣାଯାଇଥିଲା। ତାହାପରେ ତାଙ୍କୁ ତୁମକୁରସ୍ଥିତ ସିଦ୍ଧଗଂଗା ମଠର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଦୀର୍ଘ ବର୍ଷ ଧରି ସେ ଗରିବ ଓ ‌ଅବହେଳିତ ବର୍ଗର ପିଲାଙ୍କୁ ମାଗଣା ଶିକ୍ଷା, ରହିବା ଏବଂ ଖାଇବା ସୁବିଧା ଯୋଗାଇ ଆସୁଥିଲେ। ସେ କେବଳ ଜଣେ ଧାର୍ମିକ ବ୍ୟକ୍ତି ନଥିଲେ, ଜଣେ ସମାଜ ସଂସ୍କାରକ ଏବଂ ମାନବ ହିତୈଷୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ। ଅନେକ ଶିକ୍ଷାନୁଷ୍ଠାନ ସେ ନିଜ ହାତରେ ଗଢ଼ିଥିଲେ ଯେଉଁଠାରେ ଉଭୟ ପାରମ୍ପରିକ ଶିକ୍ଷା ସହିତ ବିଜ୍ଞାନ ଓ ଆଧୁନିକ ପ୍ରଯୁକ୍ତିର ଶିକ୍ଷା ଏବେ ପ୍ରଦାନ କରାଯାଇ ଆସୁଛି। ଶିବକୁମାର ସ୍ବାମୀଙ୍କ ଯୋଗୁ ସିଦ୍ଧଗଂଗା ମଠ ଦ୍ବାରା ରାଜ୍ୟର ବିଭିନ୍ନ ଭାଗରେ ପାଖାପାଖି ୧୨୦ଟି ଶିକ୍ଷାନୁଷ୍ଠାନ ଖୋଲାଯାଇପାରିଛି। ଶିବକୁମାରଙ୍କୁ ତାଙ୍କ ଜୀବଦ୍ଦଶା ମଧ୍ୟରେ ଅନେକ ନେତା ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ୧୧୧ ବର୍ଷ ବୟସ ହୋଇଥିଲେ ମଧ୍ୟରେ ଶିବକୁମାରଙ୍କର ଦୃଷ୍ଟିଶକ୍ତି ଠିକ୍ ଥିଲା ଏବଂ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସେତେଟା ରହୁ ନଥିଲା। ପ୍ରତିଦିନ ସେ ସମ୍ବାଦପତ୍ର ପଢ଼ିବା ସହିତ ନିୟମିତ ଖାଦ୍ୟ ଖାଉଥିଲେ।

୧୯୦୮ ମସିହା ଏପ୍ରିଲ ୧ ତାରିଖରେ ସ୍ବାମୀଜିଙ୍କ ଜନ୍ମ ବର୍ତ୍ତମାନର ରାମନଗର ଜିଲ୍ଲାର ମାଗାଡ଼ି ତାଲୁକର ବୀରାପୁରାଠାରେ ହୋଇଥିଲା। ଜନ୍ମ ସମୟରେ ତାଙ୍କ ନାମ ଶିବାନ୍ନା ରହିଥିଲା। ସେ ତାଙ୍କ ବାପାମାଆଙ୍କର ସବୁଠୁ ସାନ ପୁଅ ଥିଲେ। ୧୯୩୦ ମସିହାରେ ଶ୍ରୀ ଉଦାନା ଶିବାୟୋଗିଗାଲୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଧାର୍ମିକ ଜଗତକୁ ପ୍ରବେଶ କରିଥିଲେ ଏବଂ ତାଙ୍କର ନାମ ଶ୍ରୀ ଶିବକୁମାର ସ୍ବାମୀଜି ରଖାଯାଇଥିଲା। ବେଙ୍ଗାଲୁରୁର ସେଣ୍ଟ୍ରାଲ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀ ଶିବକୁମାର ସ୍ବାମୀଜି ଇଂରାଜୀ, କନ୍ନଡ଼ ସମେତ ସଂସ୍କୃତ ଭା‌ଷାରେ ବିଶେଷ ଜ୍ଞାନ ରଖିଥିଲେ। ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଉଥିଲା। ୧୯୬୫ ମସିହାରେ କର୍ଣ୍ଣାଟକ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯାଇଥିଲା। ଏଥିସହିତ ୧୦୦ ବର୍ଷ ହେବା ସମୟରେ କର୍ଣ୍ଣାକଟ ସରକାର ଶିବକୁମାରଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ନାନ କର୍ଣ୍ଣାଟକ ରତ୍ନ ୨୦୦୭ରେ ପ୍ରଦାନ କରିଥିଲେ। ସେହିଭଳି ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧି ପ୍ରଦାନ କରିଥିଲେ। କର୍ଣ୍ଣାଟକ ସରକାର ଓ ଅନ୍ୟାନ୍ୟ ସଂଗଠନ ଗୁଡ଼ିକ ପକ୍ଷରୁ ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇ ଆସୁଛି। ସବୁ ଧର୍ମ ଓ ବର୍ଗର ଲୋକଙ୍କ ପାଇଁ ସେ ମଠରେ ଏକ ପରିବେଶ ସୃଷ୍ଟି କରିଥିଲେ।ଭାରତ ରତ୍ନ ଦାବି
ବେଙ୍ଗାଲୁରୁ,: ତୁମକୁର ମଠର ମୁଖ୍ୟ ତଥା କର୍ଣ୍ଣାଟକରେ ଚଳନ୍ତି ଭଗବାନ ଭାବେ ବିବେଚିତ ଶିବକୁମାର ସ୍ବାମୀଙ୍କର ମୃତ୍ୟୁ ପରେ ତାଙ୍କୁ ଭାରତ ରତ୍ନ ଦେବା ଲାଗି ବିଭିନ୍ନ ଦଳର ନେତୃବୃନ୍ଦ ଦାବ କରିଛନ୍ତି। ଶିବକୁମାର ଭାରତ ରତ୍ନ ପାଇବା ପାଇ୍ଁ ଯୋଗ୍ୟ। ତାଙ୍କୁ ଭାରତ ରତ୍ନ ଦେବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଦାବି କରିଛନ୍ତି। ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚ ଡି କୁମାରସ୍ବାମୀ କହିଛନ୍ତି, ତାଙ୍କ ସରକାରଙ୍କ ପକ୍ଷରୁ ଶିବକୁମାରଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଲାଗି ପୂର୍ବରୁ ଦାବି କରାଯାଇ ଆସିଛି। ଏ ନେଇ ପୁନର୍ବାର ଦାବି କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ରାଜ୍ୟ ବିଜେପି ସଭାପତି ବି ଏସ ୟେଦୁରପ୍ପା ମଧ୍ୟ ଶିବକୁମାରଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲେ।
ଲିଙ୍ଗାୟତ ସମ୍ପ୍ରଦାୟର ମୁଖ୍ୟ ମଠ ସିଦ୍ଧଗଂଗା


ବେଙ୍ଗାଲୁରୁଠାରୁ ୬୪ କିମି ଦୂର ବେଙ୍ଗାଲୁରୁ-ପୁନେ ଜାତୀୟ ରାଜପଥ ପାର୍ଶ୍ବରେ ସିଦ୍ଧଗଂଗା ମଠ ଅବସ୍ଥିତ। ସ୍ବାମୀଜିଙ୍କ ନେତୃତ୍ବରେ ଏଠାରେ ସବୁ ଜାତି, ଧର୍ମର ପ୍ରାୟ ୯ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣା ରହିବା, ଖାଇବା ଏବଂ ପାଠ ପଢ଼ିବା ସୁବିଧା ଯୋଗାଇ ଦିଆଯାଇ ଆସୁଛି। ଏତଦବ୍ୟତୀତ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ମଧ୍ୟ ତାଙ୍କ ଦ୍ବାରା କରାଯାଇ ଆସୁଥିଲା। କର୍ଣ୍ଣାଟକ ରାଜନୀତିରେ ତୁମକୁର ମଠ ଏବଂ ଏହି ମଠର ମହନ୍ତଙ୍କର ଯଥେଷ୍ଟ ପ୍ରଭାବ ରହିଥାଏ। କର୍ଣ୍ଣାଟକରେ ରାଜନୀତିରେ ସବୁଠୁ ଅଧିକ ପ୍ରଭାବଶାଳୀ ସମ୍ପ୍ରଦାୟ ମଧ୍ୟରେ ଲିଙ୍ଗାୟତଙ୍କ ଅଂଶ ୧୮ ପ୍ରତିଶତ ରହିଛି। ତେଣୁ ଏହି ସମ୍ପ୍ରଦାୟର ମୁଖ୍ୟ ମଠ ସିଦ୍ଧଗଂଗାର ପ୍ରଭାବ ରାଜନୀତି ଉପରେ ସବୁବେଳେ ରହିଥାଏ।

ସମ୍ବନ୍ଧିତ ଖବର