ଅର୍ଣ୍ଣବଙ୍କ ଗିରଫଦାରୀକୁ କଡା ଭାଷାରେ ନିନ୍ଦା କଲେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଆଜି ଗିରଫ କରିଛି । ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଏହି ଗିରଫଦାରୀ ହୋଇଛି । ସମ୍ବାଦସରବରାହ ସଂସ୍ଥା ପିଟିଆଇ ଅନୁସାରେ, ୨୦୧୮ ମସିହାର ଜଣେ ଇଂଟେରିୟର ଡିଜାଇନରଙ୍କୁ କଥିତ ଭାବେ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଆଜି ସକାଳୁ ସକାଳୁ ମୁମ୍ବାଇ ପୁଲିସ ଅର୍ଣ୍ଣବଙ୍କ ଘରେ ପଂହଚି ତାଙ୍କୁ ହେପାଜତକୁ ନେବାକୁ ଉଦ୍ୟମ କରିଥିଲା ।

ଏହା ସହ ମୁମ୍ବାଇ ପୁଲିସ ଦୁର୍ବବ୍ୟହାର କରିଥିବା ଖୋଦ ଅର୍ଣ୍ଣବ ଅଭିଯୋଗ କରିଛନ୍ତି । ତେବେ ଅର୍ଣ୍ଣବଙ୍କ ଏହି ଗିରଫଦାରୀକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୃଢ ନିନ୍ଦା କରିଛନ୍ତି | ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ପୁଣି ଥରେ ଆପାତକାଳୀନ ଅବସ୍ଥାକୁ ମନେପକାଇଦେଉଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି | ଅନ୍ୟ ପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି |


ଧର୍ମେନ୍ଦ୍ର ଟ୍ୱିଟ କରି ଲେଖିଛନ୍ତି ଯେ ଗଣମାଧ୍ୟମର ସ୍ୱାଧୀନତା ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ଏବଂ ନିଷ୍ଠୁର ଅସହିଷ୍ଣୁତାର ଏକ ଉଲଗ୍ନ ପ୍ରଦର୍ଶନ | ସେହିପରି ପ୍ରତାପ ଟ୍ୱିଟ କରି ଲେଖିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ ସହ ସାମ୍ବିଧାନିକ ସ୍ୱତନ୍ତ୍ରତାର ନିୟମକୁ ଯେଭଳି ଅପମାନ କରିବା ଭଳି ଯେଉଁ ନିନ୍ଦନୀୟ କାର୍ଯ୍ୟ ମହାରାଷ୍ଟ୍ର ସରକାର କରିଛନ୍ତି, ତାହା ଆପାତକାଳୀନ ସ୍ଥିତିକୁ ପୁଣି ଥରେ ମନେ ପକାଇଦେଇଛି |

ସମ୍ବନ୍ଧିତ ଖବର