ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ଜେପି ନଡ୍ଡାଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ : ଅକ୍ଟୋବର ମଧ୍ୟଭାଗରେ କଂଗ୍ରେସ ଜଣେ ନୂଆ ଅଧ୍ୟକ୍ଷ ପାଇବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଆସନ୍ତା ଜାନୁଆରି ମାସରେ ପୂରିବାକୁ ଯାଉଛି। ତେଣୁ କାହାକୁ ନଡ୍ଡାଙ୍କ ଉତ୍ତରାଧିକାରୀ କରାଯିବ ସେନେଇ ବିଜେପିରେ ମାନସମନ୍ଥନ ଆରମ୍ଭ ହୋଇଛି। ଚର୍ଚ୍ଚା ଉଠୁଛି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନ ଚାହାନ୍ତି, ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିପାରେ। ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଦୁଇ ପ୍ରକାର ସମ୍ଭାବନା ରହିଛି- ଗୋଟିଏ ହେଉଛି ୨୦୨୪ ସାଧାରଣ ନିର୍ବାଚନ ଯାଏ କାର୍ଯ୍ୟକାଳ ବୃଦ୍ଧି ଏବଂ ଅନ୍ୟଟି ହେଉଛି ତାଙ୍କୁ ଆଉ ତିନିବର୍ଷର ପୂର୍ଣ୍ଣ ଅବଧି ପାଇଁ ଦଳମୁଖ୍ୟ ପଦରେ ରଖିବା।

ବିଜେପି ସମ୍ବିଧାନରେ ଆଗରୁ ନିୟମ ଥିଲା ଜଣେ ବ୍ୟକ୍ତି କେବଳ ଗୋଟିଏ ଟର୍ମ ବା ୩ ବର୍ଷ ପାଇଁ ସଭାପତି ହୋଇପାରିବ, ଯାହାକୁ ୨୦୧୨ରେ ସଂଶୋଧନ କରାଯାଇଥିଲା। ନୂଆ ନିୟମ ଅନୁସାରେ ଜଣେ ବ୍ୟକ୍ତି କ୍ରମାଗତ ଦୁଇଟା ଟର୍ମ ବା ୬ ବର୍ଷ ପାଇଁ ଦଳର ଅଧ୍ୟକ୍ଷ ହୋଇପାରିବ। ଜନୈକ ବରିଷ୍ଠ ନେତା କହିଛନ୍ତି, ଯଦି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରା ନ ଯାଏ ତେବେ ପ୍ରଧାନ ତାଙ୍କର ଉତ୍ତରାଧିକାରୀ ହୋଇପାରନ୍ତି। ତେବେ ସଭାପତି ହେବାକୁ ହେଲେ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟି ଉଭୟରେ ରହିବା ଦରକାର। ଏବେ ଏହି ବୋର୍ଡ ସମ୍ପ୍ରସାରିତ ହୋଇଛି ଓ ସମସ୍ତ ପଦ ପୂରଣ ହୋଇଛି। ହେଲେ ଧର୍ମେନ୍ଦ୍ରଙ୍କୁ ସାମିଲ କରାଯାଇନି। ସେହି ଦୃଷ୍ଟିରୁ ପ୍ରଧାନ ଦଳର ପ୍ରଧାନ ହେବା ଆଶଙ୍କା କମ୍। ପୁଣି ସମସ୍ତ ଶୀର୍ଷ ପଦରେ ଓଡ଼ିଆଙ୍କୁ ବସାଇ ନ ପାରେ ଦଳ। କିନ୍ତୁ ମୋଦୀ-ଶାହ ଚାହିଁଲେ କିଛି ବି ହୋଇପାରେ।
ତେବେ କେତେକଙ୍କ ମତରେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା ଅଧିକ। କାରଣ ମୋଦୀ-ଶାହଙ୍କ ସହ ତାଙ୍କର ସମ୍ପର୍କ ଭଲ। ଦଳର ଅଧ୍ୟକ୍ଷ ଭାବରେ ବି ସେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସମ୍ପୂର୍ଣ୍ଣ ତିନି ବର୍ଷିଆ ଅବଧି ପାଇଁ ନ ହେଲେ ବି ଅନ୍ତତଃ ୨୦୨୪ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ।

ଏଣେ ପ୍ରଧାନଙ୍କର ସାଂଗଠନିକ ଅଭିଜ୍ଞତା ପ୍ରବଳ ରହିଛି। କଥାବାର୍ତ୍ତା ମାଧ୍ୟମରେ ଲୋକଙ୍କ ମନ କିଣିବାର କୌଶଳ ବି ତାଙ୍କର ଅସାଧାରଣ। ଛାତ୍ର ଜୀବନରେ ଏବିଭିପି ସହ କାମ କରିବା ବେଳୁ ତାଙ୍କର ସାଂଗଠନିକ ଦକ୍ଷତା ଗଢ଼ିଉଠିଛି। ଅରୁଣ ଜେଟଲୀଙ୍କ ପରେ ସଙ୍କଟ ମୋଚକ ଭାବେ ପ୍ରଧାନଙ୍କୁ ବିଚାର କରାଯାଏ। ଯେତେବେଳେ ଦଳ ଅସୁବିଧାରେ ପଡ଼ିଛି, ପ୍ରଧାନମନ୍ତ୍ରୀ ତାଙ୍କୁ ଦାୟିତ୍ବ ଦେଇଛନ୍ତି ଓ ସେ ତା’ର ସମାଧାନ କରିଛନ୍ତି। ଦେଶରେ ନୂତନ ଜାତୀୟ ଶିକ୍ଷାନୀତି କିପରି ଲାଗୁ କରାଯିବ ସେନେଇ ସରକାର ଚିନ୍ତାରେ ଥିବାବେଳେ ମୋଦୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ କରି ସେ ଦାୟିତ୍ବ ଅର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଦଳମୁଖ୍ୟ ପଦ ପାଇଁ କିଛି ଲୋକ ଆଲୋଚନା କରୁଥିବା ବେଳେ ତାଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟିରେ ରଖାଯାଇଥିବାରୁ ନଡ୍ଡାଙ୍କ ପରେ ପ୍ରଧାନଙ୍କୁ ଦଳ ପ୍ରଧାନ କରାଯିବା ସମ୍ଭାବନା ଅଧିକ ବୋଲି ଅନେକେ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର