ରାଷ୍ଟ୍ରପତି ନିର୍ବାଚନ ନେଇ ନୀତିଶଙ୍କ ସହ ଗୁପ୍ତ ବୈଠକ କଲେ ଧର୍ମେନ୍ଦ୍ର, ଜାଣିପାରିଲାନି ରାଜ୍ୟ ବିଜେପି !

ନୂଆଦିଲ୍ଲୀ: ଅଗଷ୍ଟରେ ହେବାକୁ ଥିବା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି। ଯଦିଓ ବିଜେପି ପାଇଁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ଅତ୍ୟନ୍ତ ସହଜ ତଥାପି ବିଜେପି କୌଣସି ରିସ୍କ ନେବାକୁ ଚାଁହୁନାହି | ଏହି କ୍ରମରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ପଦକ୍ଷେପ ସ୍ୱରୂପ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ। କୁହାଯାଉଛି ଯେ ଆଗାମୀ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ତେବେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ବିଜେପିର ବୈଠକ ଏପରି ଏକ ସମୟରେ ଘଟିଛି ଯେତେବେଳେ ଉଭୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ହେବାର ଆଲୋଚନା ସାମ୍ନାକୁ ଆସୁଛି। ସେହିପରି ଦୁହିଁଙ୍କ ସାକ୍ଷାତ ସମ୍ପର୍କରେ ସୂଚନା ବିହାର ବିଜେପିକୁ ଦିଆଯାଇ ନାହିଁ। ତେବେ ନୀତିଶ କୁମାରଙ୍କ ପ୍ରତି ରାଜ୍ୟ ୟୁନିଟର ମନୋଭାବକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ ଅଛନ୍ତି । କେନ୍ଦ୍ରୀୟ ନେତୃତ୍ୱ ଚାହୁଁନାହାଁନ୍ତି ଯେ ରାଜ୍ୟ ବିଜେପି ନେତାମାନେ ଏମିତି ଏକ ଚର୍ଚ୍ଚା ସୃଷ୍ଟି କରନ୍ତୁ ଯେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବଦଳାଇଦିଆଯିବ |

ସୂଚନା ଥାଉ କି ୨୦୧୨ ରେ, ନୀତିଶ ଏନଡିଏରେ ଥିଲେ ମଧ୍ୟ ରାଷ୍ଟ୍ରପତି ପାଇଁ ବିରୋଧୀ ଦଳର ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ। ସେହିପରି ୨୦୧୭ରେ ଯେତେବେଳେ ସେ ଆରଜେଡି ଏବଂ କଂଗ୍ରେସ ସହିତ ଗଠବନ୍ଧନରେ ଥିଲେ, ସେତେବେଳେ ସେ ବିରୋଧୀ ପ୍ରାର୍ଥୀ ମୀରା କୁମାରଙ୍କ ବଦଳରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ | ତେଣୁ ଏଥର ଯେମିତି ସେ ମନ ବଦଳାଇ ନ ଦିଅନ୍ତି ସେଥିପାଇଁ ଆଜି ଧର୍ମେନ୍ଦ୍ର ଆଲୋଚନା କରିଥିବାର ଚର୍ଚ୍ଚା ହେଉଛି |

ସମ୍ବନ୍ଧିତ ଖବର