ନୂଆଦିଲ୍ଲୀ:ନବଗଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରାଯାଇଛି। ମୋଦୀ କ୍ୟାବିନେଟ୍ରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ପୁରୁଣା ମନ୍ତ୍ରାଳୟ ବଜାୟ ରଖିଛନ୍ତି। ତାଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ ମିଳିଛି। ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପାଇବାରେ ସଫଳ ହୋଇଛନ୍ତି ଧର୍ମେନ୍ଦ୍ର। ଏହାଦ୍ୱାରା ମନ୍ତ୍ରିମଣ୍ଡଳରେ ସେ ତାଙ୍କର ପତିଆରା ବଜାୟ ରଖିଛନ୍ତି।
ସେହିପରି ମୋଦୀ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ଲାଗି ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ଦାୟିତ୍ୱ ସହ ପଶୁ ସଂପଦ,ଗୋପାଳନ ଏବଂ ମତ୍ସ୍ୟପାଳନ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ୨ ଓଡ଼ିଆ ସ୍ଥାନ ପାଇଥିବା ବେଳେ ଏଥର ମଧ୍ୟ ଦୁଇଜଣଙ୍କୁ ସାମିଲ୍ କରାଯାଇଛି। ଗତ ଥର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱରେ ଥିବା ଜୁଏଲ୍ ଓରାମ୍ଙ୍କୁ ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ୍ କରିନାହାନ୍ତି।