ଧର୍ମେନ୍ଦ୍ରଙ୍କ ପାଖରେ ୨ କୋଟି ୨୮ ଲକ୍ଷର ସମ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିବା ଆଠଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ‌ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପତ୍ତି ତାଲିକା ମଧ୍ୟ ରହିଛି। ମାର୍ଚ ୩୧, ୨୦୨୨ ସୁଦ୍ଧା ଶ୍ରୀ ପ୍ରଧାନଙ୍କ ନିକଟରେ ୨ କୋଟି ୨୮ ଲକ୍ଷ ୫୧ ହଜାର ୯୬୫ ଟଙ୍କାର ସମ୍ପତ୍ତି ରହିଛି। ଏଥିରୁ ୪୫ ଲକ୍ଷ ଟଙ୍କାର ଲାୟବିଲିଟିକୁ ବାଦ୍‌ ଦେଲେ ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧ କୋଟି ୮୩ ଲକ୍ଷ ଟଙ୍କା।

ସ୍ଥାବର ସମ୍ପତ୍ତିରେ ଶ୍ରୀ ପ୍ରଧାନ ତାଙ୍କ ଗାଜିଆବାଦରେ ଥିବା ଘରର ମୂଲ୍ୟ ୯୧ ଲକ୍ଷ ଟଙ୍କା, ‌ଅନୁଗୁଳ ଜିଲ୍ଲା ସତ୍ୟବନ୍ଧ ମୌଜାରେ ୨୪ ଲକ୍ଷ ଟଙ୍କାର ଘରବାଡ଼ି ଓ ୬ ଲକ୍ଷ ଟଙ୍କାର ଚାଷ ଜମି, ବ୍ୟାଙ୍କରେ ୩୦ ଲକ୍ଷ ଟଙ୍କାର ଜମା, ୧୪ ଲକ୍ଷ ଟଙ୍କାର ପିପିଏଫ୍‌, ୫୦ ଲକ୍ଷ ଟଙ୍କାର ମ୍ୟୁଚୁଆଲ୍‌ ପାଣ୍ଠି, ୯୫ ହଜାର ଟଙ୍କାର ମୋଟରଯାନ, ୮ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଓ ଆସବାବ ଓ ୨ ଲକ୍ଷରୁ ଅଧିକ ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ସହ କ୍ୟାସ ବାଲାନ୍‌ସ ରହିଛି। ମାର୍ଚ ୩୧, ୨୦୨୧ ସୁଦ୍ଧା ତାଙ୍କର ୨ କୋଟି ୯ ଲକ୍ଷରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିଲା। ଏଥିରୁ ଲାୟବିଲିଟିକୁ ବାଦ ଦେଇ ସମୁଦାୟ ସମ୍ପତ୍ତି ମୂଲ୍ୟ ୧ କୋଟି ୬୨ ଲକ୍ଷରୁ ଅଧିକ ଥିଲା। ବର୍ଷକ ମଧ୍ୟରେ ତାଙ୍କ ସମ୍ପତ୍ତି ପ୍ରାୟ ୨୧ ଲକ୍ଷ ଟଙ୍କା ବଢ଼ିଛି।

ଶ୍ରୀ ପ୍ରଧାନଙ୍କ ଦ୍ବାରା ଦାଖଲ କରାଯାଇଥିବା ସମ୍ପତ୍ତି ତାଲିକାରେ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନଙ୍କ ନାଁରେ ୩ କୋଟି ୧୫ ଲକ୍ଷ ଟଙ୍କାରୁ ଅଧିକ ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି। ତେବେ ୨୨ ଲକ୍ଷ ୪୧ ହଜାର ଟଙ୍କାର ଲାୟବିଲିଟିକୁ ବାଦ ଦେଲେ ମୃଦୁଳାଙ୍କ ସମୁଦାୟ ସଂପତ୍ତି ମୂଲ୍ୟ ୨ କୋଟି ୯୨ ଲକ୍ଷ ଟଙ୍କାରୁ ଅଧିକ ରହିଛି। ତାଙ୍କ ଝିଅ ନୈମିଷାଙ୍କ ପାଖରେ ୧୬ ଲକ୍ଷ ୯୪ ହଜାରର ଜୀବନ ବୀମା ଓ ବ୍ୟାଙ୍କ ଡିପୋଜିଟ୍ ଥିବା ବେଳେ ପୁଅ ନିଶାନ୍ତଙ୍କ ପାଖରେ ଜୀବନ ବୀମା ଓ ବ୍ୟାଙ୍କ ଡିପୋଜିଟ ବାବଦରେ ମୋଟ ୩ ଲକ୍ଷ ୧୬ ହଜାର ଟଙ୍କା ରହିଥିବା ଶ୍ରୀ ପ୍ରଧାନ ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର