କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ସମୟରେ ରାଜନୈତିକ ହିଂସା ଦେଖାଦେଇଛି । ରାଜ୍ୟର ସବୁଠାରୁ ବହୁଚର୍ଚ୍ଚିତ ଆସନ ନନ୍ଦୀଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର ରାଲି ସମୟରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି। ଅଭିଯୋଗ ହୋଇଛି କି ତୃଣମୂଳ କଂଗ୍ରେସ(ଟିଏମସି)ର କର୍ମୀ ଏହି ହିଂସାକାଣ୍ଡ ଭିଆଇଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ନନ୍ଦୀଗ୍ରାମ-୧ ଦକ୍ଷିଣ ମଣ୍ଡଳର ବିଜେପି ଯୁବାମୋର୍ଚ୍ଚା ଅଧ୍ୟକ୍ଷ ପୁରନ ଚନ୍ଦ୍ର ପାତ୍ରଙ୍କର ଏହି ଆକ୍ରମଣରେ ମୁଣ୍ଡ ଫାଟି ଯାଇଛି। ସେ ନନ୍ଦୀଗ୍ରାମର ସୋନଚୁରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର ଜନସଭାରେ ସାମିଲ ହୋଇଥିଲେ। ଆହତ ପୁରନ ଚନ୍ଦ୍ର ପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଚିକିତ୍ସା ପାଇଁ ହସ୍ପିଟାଲ ପହଞ୍ଚାଇଥିଲେ। ଏହାପରେ ଶ୍ରୀ ପ୍ରଧାନ ଅର୍ଦ୍ଧ ସାମରିକ ବଳର ସଂଖ୍ୟା ବୃଦ୍ଧି କରି ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି।
/sambad/media/post_attachments/9d0528b08852197d0013258d9bd2e33d7b3f20070fba8360e7e81f5043e1c67f.jpeg)
ଏହା ପୂର୍ବରୁ ଉତ୍ତର ୨୪ ପ୍ରଗଣାର ଜଗଦଲରେ ଦେଶୀ ବୋମା ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ଶିଶୁ ସହିତ ୩ଜଣ ଆହତ ହୋଇଥିଲେ। ବିଜେପି ପକ୍ଷରୁ ଏହି ଆକ୍ରମଣ ସଂପର୍କିତ ଅଭିଯୋଗ ନିର୍ବାଚନ କମିସନଙ୍କୁ ପଠାଯାଇଛି।
ବିଜେପି ସାଂସଦ ଅର୍ଜୁନ ସିଂହ କହିଛନ୍ତି, ଏହି ବୋମାମାଡ଼ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। କିନ୍ତୁ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା। ପୁଲିସ ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରେ ତେବେ ପରିସ୍ଥିତି ଭୟାବହ ହେବ। ତୃଣମୂଳ କଂଗ୍ରେସର ଗୁଣ୍ଡାମାନଙ୍କ ଦ୍ବାରା ଭୟର ବାତାବରଣ ସୃଷ୍ଟି କରାଯାଉଛି।