୭୪ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୪ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ଵିଟ ବାର୍ତ୍ତାରେ “ଭାରତରୁ ଆତ୍ମନିର୍ଭର ଭାରତ : ଏକ ପରିବର୍ତ୍ତନ ଚକ୍ର”ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦୀ ସରକାରଙ୍କ ଅମଳରେ ଆମର ଉଭୟ ଘରୋଇ ଓ ଆନ୍ତର୍ଜାତିକ ବ୍ୟାପାରରେ ବିରାଟ ପରିବର୍ତ୍ତନ ଘଟିଛି । ନିକଟରେ ଏକ ଆତ୍ମନିର୍ଭର ଭାରତ ଆନ୍ତର୍ଜାତିକବାଦ ବା ଜଗତୀକରଣ ସହ ସମକକ୍ଷ ହୋଇପାରିବା ନେଇ ଅନେକ ବାଦାନୁବାଦ ହୋଇଛି । ଆନ୍ତରାଷ୍ଟ୍ରୀୟ ବାଦରେ ଅନେକ ଭଲକଥା ଥିଲେ ମଧ୍ୟ ଏହା କେତେକାଂଶରେ ସୀମାବଦ୍ଧ, ଯାହାକି କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ପ୍ରତ୍ୟେକ ଦେଶ ସ୍ଵାଭାବିକ ଭାବେ ଏଥିରୁ ଓହରି ପରିସ୍ଥିତିକୁ ନିଜ ଘରୋଇ ଦୃଷ୍ଟିକୋଣରୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ସେ ଦୃଷ୍ଟିରୁ ଆମେ ନିଜକୁ ଆତ୍ମନିର୍ଭରଶୀଳ କରିବାର ଅର୍ଥ ନୁହେଁ ଯେ, ଆମେ ଆନ୍ତର୍ଜାତିକ ଅଙ୍ଗୀକାରବଦ୍ଧତା ପଥରୁ ଓହରି ଯାଇଛୁ । ଆମେ ସବୁବେଳେ ଆମ ଜାତୀୟ ସ୍ଵାର୍ଥ ପ୍ରତି ଅଧିକ ଧ୍ୟାନ ଦେଇଛୁ ।

ସେ ପୁଣି କହିଛନ୍ତି ଯେ, ଭାରତ ବିଶ୍ଵର ଏକ ଦାୟିତ୍ଵ ସମ୍ପନ୍ନ ରାଷ୍ଟ୍ର । ଆମ ସଭ୍ୟତା ବସୁଧୈବ କୁଟୁମ୍ବକମ ବା ବିଶ୍ଵ ଏକ ପରିବାର ନୀତି ଉପରେ ପର୍ୟ୍ୟବେଶିତ । ଆମେ ପ୍ରକୃତିକୁ ମା’ର ମାନ୍ୟତା ଦେଉ ଓ ଏହାର ପ୍ରତ୍ୟେକ ସୃଷ୍ଟିକୁ ଆମର ସମ୍ପ୍ରସାରିତ ପରିବାର ମନେକରୁ । ନିକଟରେ ଘୋଷିତ ଅନେକ ସଂସ୍କାର ଆମର ବୃହତ ପର୍ୟ୍ୟାବରଣ ରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ଓ ବୈଶ୍ଵିକ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ପ୍ରତିଯୋଗିତାମୂଳକ ବଜାରରେ ନିଜର ସ୍ଥିତି ଜାହିର କରିବା ପାଇଁ ଉଦ୍ଦିଷ୍ଟ । ତେବେ ଏହି ଅଭିବୃଦ୍ଧି ଚକ୍ର ଭାରତୀୟ ଅନନ୍ୟ ଧାରାକୁ ଆଧାର କରି ବଞ୍ଚିଛି ଓ ସେଥିରେ ଘରୋଇ ସ୍ଵାର୍ଥ ସବୁଠାରୁ ଆଗରେ ରହିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଶ୍ଵର ରାଷ୍ଟ୍ରସମୂହ ମଧ୍ୟରେ ଭାରତ ତାହାର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିବ ।

ସମ୍ବନ୍ଧିତ ଖବର