ଓଡ଼ିଶା ଓ ଓଡ଼ିଆଙ୍କ ଚିକିତ୍ସା ସୁବିଧା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଧର୍ମେନ୍ଦ୍ର କହିଛନ୍ତି ଯେ ‘ସାରା ବିଶ୍ୱ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ସଂକ୍ରମଣ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଓଡ଼ିଶାବାସୀ ତଥା ସାରାଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ଅତ୍ୟନ୍ତ ଜରୁରୀ ହୋଇପଡିଛି ।


ଓଡ଼ିଶା ସରକାର ତଥା ବିଶେଷ ଭାବରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନମ୍ର ଅନୁରୋଧ ରାଜ୍ୟରେ ଭାରତ ସରକାରଙ୍କର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅନନ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ତୁରନ୍ତ ଲାଗୁ କରନ୍ତୁ ‘। ପୂର୍ବରୁ କେନ୍ଦ୍ର ସରକାର ଓଡିଶା ସରକାରଙ୍କୁ ଏହି ଯୋଜନା ଲାଗୁ କରିବାକୁ କହିଥିଲେ ବି ରାଜ୍ୟ ସରକାର ଏହାକୁ ଲାଗୁ କରିନାହାଁନ୍ତି |


ତେଣୁ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ଏଠାରେ ସୂଚନା ଥାଉ କି ୨୦୧୮ ମସିହାରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ | ପଛୁଆ ବର୍ଗର ପରିବାରଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଯୋଜନା ମୁତାବକ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବାର ଏହି ଯୋଜନାରେ ସୁବିଧା ରହିଛି |

ସମ୍ବନ୍ଧିତ ଖବର