ଦୁଇ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିୟମ ଏବଂ ଇସ୍ପାତ, ପ୍ରତାପଙ୍କୁ ଏମ୍‌ଏସ୍‌ଏମ୍‌ଇ ଓ ପଶୁପାଳନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେବାକୁ ଥିବା ମନ୍ତ୍ରୀମାନେ ଗୁରୁବାର ସଂଧ୍ୟାରେ ଶପଥ ନେଇଥିବାବେଳେ ଆଜି ସେମାନଙ୍କୁ ବିଭାଗ ବଣ୍ଟନ ହୋଇଛି। ଏଥିରେ ଦୁଇ ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି।

ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ସାମିଲ ହୋଇଥିବା କ୍ୟାବିନେଟ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବ ଥର ଭଳି ‌ପେ‌ଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ସହ ଏଥର ଇସ୍ପାତ ମନ୍ତ୍ରାଳୟ ଦାୟିତ୍ବ ମିଳିଛି। ଅନ୍ୟପକ୍ଷେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ , ପଶୁପାଳନ, ମତ୍ସ୍ୟ ପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି।

ମନ୍ତ୍ରୀମାନଙ୍କୁ ଦାୟିତ୍ବ ଆବଣ୍ଟନ ହେବା ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରାଳୟ ଦାୟିତ୍ବ ଗ୍ରହଣ କରିଛନ୍ତି। ଶାସ୍ତ୍ରୀଭବନ ସ୍ଥିତ କାର୍ଯ୍ୟାଳୟରେ ଧର୍ମେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଦାୟିତ୍ବ ଗ୍ରହଣ କରିଥିବାବେଳେ ଉଦ୍ୟୋଗ ଭବନ ସ୍ଥିତ ଇସ୍ପାତ ମନ୍ତ୍ରାଳୟରେ ସେ ଇସ୍ପା‌ତ ବିଭାଗର ଦାୟିତ୍ବ ଗ୍ରହଣ କରିଛନ୍ତି। ଧର୍ମେନ୍ଦ୍ର ଦାୟିତ୍ବ ଗ୍ରହଣ କରିବା ସମୟରେ ଉଭୟ ମନ୍ତ୍ରାଳୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଇସ୍ପାତ ମନ୍ତ୍ରାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଇସ୍ପାତ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଫଗନସିଂହ କୁଲସ୍ତେ, ଇସ୍ପାତ ସଚିବ ବିନୟ କୁମାର , ସେଲ୍‌ର ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ ଓ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ।

ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପେଟ୍ରୋଲିମୟ ଓ ପ୍ରାକୃତିକ ଗ୍ୟାସ ବିଭାଗରେ ଗତ ୫ବର୍ଷ ମଧ୍ୟରେ କରାଯାଇଥିବା କାମକୁ ଦୁଇରୁ ତିନି ଗୁଣା କରାଯିବ। ଏହାସହ ଇସ୍ପାତ ବିଭାଗରେ ଗତ ୫ବର୍ଷରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଥିବାବେଳେ ଏହି ବିଭାଗର କାମକୁ ମଧ୍ୟ ତ୍ବରାନ୍ବିତ କରାଯିବ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିତ୍ବ କେନ୍ଦ୍ରରେ ଇସ୍ପାତ ବିଭାଗର ଦାୟିତ୍ବ ନେଇଥିବା ଯୋଗୁଁ ଜଣେ ଓଡ଼ିଆ ଭାବେ ଏହି ବିଭାଗର ଦାୟିତ୍ବ ନେବା ଗୌରବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ ଯେ, ମହତାବ ଓ ବିଜୁ ପଟ୍ଟନାୟକଙ୍କ ବାଦ୍ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଥିଲେ। ପୁରୀର ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ ମଧ୍ୟ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଥିଲେ।

ଅପରପକ୍ଷେ ଆଜି ସକାଳେ ଦାୟିତ୍ବ ଆବଣ୍ଟନ ହେବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ହଜ୍‌ଖାସସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଧର୍ମେନ୍ଦ୍ର ଓ ପ୍ରତାପ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର