କେରଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଭେଟିଲେ, ୫୭ତମ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ସମାରୋହରେ ଯୋଗଦେଲେ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହ ରାଜ୍ୟରେ ବିଭିନ୍ନ ତୈଳ, ଗ୍ୟାସ ଓ ଇସ୍ପାତ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତିରୁବନନ୍ତପୁରମ ଗସ୍ତ ଅବସରରେ ଭାରତୀୟ ଧାତୁ ସଂସ୍ଥାନର ୫୭ତମ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ସମାରୋହ ଓ ଏହାର ୭୩ତମ ବାର୍ଷିକ ଟେକ୍ନିକାଲ ବୈଠକରେ ଯୋଗ ଦେଇଥିଲେ। ସେ ରାଷ୍ଟ୍ରୀୟ ଧାତୁ ବିଜ୍ଞାନ ଦିବସ ପୁରସ୍କାର ଓ ଭାରତୀୟ ଧାତୁ ସଂସ୍ଥାନ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ସମାରୋହରେ ସାମିଲ ହୋଇଥିବା ପ୍ରତିନିଧିମାନଙ୍କୁ ଅଧିକ ଆତ୍ମ ନିର୍ଭରଶୀଳତା ପାଇଁ ଇସ୍ପାତ ଉତ୍ପାଦନର ଆହ୍ୱାନକୁ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଇସ୍ପାତର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଇସ୍ପାତର ବ୍ୟବହାର ଏବଂ ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ଏକ ସକାରାତ୍ମକ ତଥା ପାରସ୍ପରିକ ସମ୍ପର୍କ ରହିଛି । ଆଧୁନିକ ଅର୍ଥନୀତି ନିର୍ମାଣରେ ଇସ୍ପାତ ସହିତ ଅନ୍ୟ ଧାତୁ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି। ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ସ୍ୱପ୍ନ ସାକାର ହେବ । ସମସ୍ତଙ୍କୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଇଚ୍ଛାଶକ୍ତି ସହ ମିଶି କାମ କରିବାକୁ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର